Unknown

 

 

 

 

 

 

 

 

 

 

 

ବିଜଳା

ଶ୍ରୀମତୀ ପଦ୍ମାବତୀ ଦେଈ

 

ଉତ୍ସର୍ଗପତ୍ର

 

ଭ୍ରାତଃ ।

ପଡ଼େ ମନେ, ଭାଲ୍ୟେ ମୁହିଁ ବୁଲୁଥିଲି ଦିନେ

ସାୟାହ୍ନେ, ସଡ଼କ ଧୂଳି ବୋଳି ହୋଇଥାଏ

କ୍ଷୁଦ୍ରପାଦେ ମୋର, ଯେବେ ପକାଇଲି ମାଡ଼ି

ଛିନ୍ନ ପୁସ୍ତକର ଛିନ୍ନ ପଦ୍ୟ ଲେଖା ଏକ,

ପଢ଼ିଲି ଗୋଟାଇ, ମାତ୍ର ନ ପାରିଲି ବୁଝି;

କିନ୍ତୁ ବଡ଼ ଶ୍ରଦ୍ଧା ହେଲା ମୋର, ଧରି ତାହା

ଗଲି ତବ ପାଶେ, ‘‘ମୋତେ କହିଦିଅ ଭାଇ,

କିଏ ଲେଖିଅଛି, କିସ ଅଟେ ଏ କାହାର ?’’

କହିଲ ସସ୍ନେହେ ହସି ‘‘ଦୂର୍‌ହ ପାଗଳି ।

ଜାଣି କି କରିବୁ ? ଯଦି ଏହିପରି ପଦ୍ୟ

ପାରନ୍ତୁ ତୁ ଲେଖି ତେବେ ପଚାରନ୍ତୁ ଆସି-

ପାରିବୁ କି ?’’ ‘‘ନ ପାରିବି’’ ମସ୍ତକ ହଲାଇ

କହିଲି ମୁଁ ‘‘ନ ଆସିବ ମତେ’’; ରକ୍ତବର୍ଣ୍ଣ ଆଖି

ଉଠିଲା କପାଳେ ତବ ‘‘ନ ଆସିବ ମତେ’’

‘‘ନ ପାରିବି’’ ନ କହିବୁ ଦିନେ; ଯେ ଲେଖିଛି

ଏହାକୁ ଲୋ, ତୋହ ପରି ହାତ ଗୋଡ଼ ତାର,

ରକ୍ତମାଂସେ ତାକୁ ବିଧି ଗଢ଼ିଥିଲେ ଦିନେ;

ତୋହପରି ଦିନେ ସେ ତ ହୋଇଥିଲା ପିଲା;

ତୁ କିପାଇଁ ନ ପାରିବୁ ? ଚେଷ୍ଟା କରି ମନ

ଦେଇ ଲେଖିଲେ ପାରିବୁ- ଦେଖାଇବୁ ମୋତେ ।’’

ସେ କ୍ଷୁଦ୍ର ଭର୍ତ୍ସନା ଭ୍ରାତ ! ନିକଷେ ଯେସନ

ସ୍ୱର୍ଣ୍ଣରେଖା ସରି କ୍ଷୁଦ୍ର ହୃଦେ ଲେଖା ମୋର

ରହିଲା, ପଡ଼ିବ କି ମନେ ତବ ଏ କଥା ?

ସେ ଦିନୁ ସଚେଷ୍ଟ ହୁଏ, ମାତ୍ର କିବା ସାଧ୍ୟ

ଅଛି ମୋର ? ବାଲ୍ୟ ମନେ ରଚନାର ପଥ

କି ଜାଣେ ବାଳିକାପ୍ରାଣ; କିନ୍ତୁ କ୍ରମେ କ୍ରମେ

ତବ ଆଜ୍ଞାରେଖା ଅସ୍ପଷ୍ଟୁଁ ସୁସ୍ପଷ୍ଟତର

ହେଉଥିଲା କ୍ଷୁଦ୍ରତମ ହୃଦୟେ ମୋହର;

ତୁମ୍ଭରି ଆଦେଶେ ତଥା ତବ ଆଶୀର୍ବାଦେ

ତବ ଶିକ୍ଷାପୁଷ୍ପ ନେଇ ଗୁନ୍ଥିଛି ଯେ ମାଳ,

ଅରପିଲି ସେ ମାଳଟି ତବ ପାଦତଳେ ।

 

ସ୍ନେହର

ଭଉଣୀ

Image

 

ବିଜଳା

ପ୍ରଥମ ସର୍ଗ

 

ହରିପୁର ନାମେ ଏକ ସୁନ୍ଦର ନଗର

ଥିଲା ଏ ଉତ୍କଳେ ପୂର୍ବେ, ପଦତଳେ ଯାର

ବହୁଥିଲା ଖରତୋୟା ଜରାଳୀ ତଟିନୀ,

ଉତ୍କଳ-ହିମାଦ୍ରି ମେଘାସନର ନନ୍ଦନୀ ।

ନଗର ସୀମାନ୍ତେ ଘୋର ନିବିଡ଼ କାନନ

ବେନିଭାଗ କରି ପ୍ରବାହିତ ଅନୁକ୍ଷଣ ।

ବଟବୃକ୍ଷ, ବଂଶକୁଞ୍ଜ ତାର ତୀରବନେ

ଅବିରତ ମୁଖରିତ ବିହଗକୂଜନେ ।

ସେ ତଟିନୀତଟେ ପର୍ଣ୍ଣବାସ ରଚିକରି

ନିବସନ୍ତି ନିରଜନେ ତପସ୍ୱୀଙ୍କ ପରି

ବେନି ଚକ୍ଷୁହୀନ ଏକ ପ୍ରବୀଣ ପୁରୁଷ;

ନ ଜାଣନ୍ତି କେହି କାହିଁ ତାଙ୍କ ଆଦି ବାସ ।

ନୟନର ତାରା କିବା ସରଗର ତାରା-

ସମ କନ୍ୟାରତ୍ନ ମାତ୍ର ନୟନର କାରା ।

ସେ ସମ୍ବଳ ଏକମାତ୍ର ଜୀବନ ଜୀବର,

ହୃଦୟ ଅମୂଲ୍ୟନିଧି, ଲଉଡ଼ି ଅନ୍ଧର ।

ନାମ ତାହାର ବିଜଳା, ସାକ୍ଷାତ ବିଜୁଳି-

ଉପାଦାନେ ବିଧି କିବା ଗଢ଼ିଲେ ପିତୁଳି !

କୁସୁମରୁ ସୁକୁମାର ତନୁ ବାଳିକାର,

ଝାଉଁଳି ପଡ଼ିବ ସତେ ପରଶିଲେ କର ।

ଲାବଣ୍ୟଲହରେ ତାର କ୍ଷୁଦ୍ର ତନୁଲତା

ଭାସୁଥିଲା, ମୂର୍ତ୍ତିମତୀ କିବା ସରଳତା ।

ମୃଦୁ ମଧୁର ନିଶାନ୍ତ ଜରାଳୀ ସମୀର

ପରଶେ ଭାଙ୍ଗଇ ଯେବେ ନିଦ୍ରା କିଶୋରୀର,

ଉଠି ବେଗେ ଜରାଳୀ ଶୀତଳ ସ୍ନିଗ୍ଧ ଜଳେ

ପ୍ରାତଃକୃତ୍ୟ ସାରି ପୁଣି ପିତାପାଶେ ମିଳେ ।

ଅନ୍ଧ ଜନକର ସାରି ପରିଚର୍ଯ୍ୟାମାନ,

ସଯତନେ କରେ ନିତ୍ୟକର୍ମ ସମାପନ ।

ତଟିନୀ ପୂରୁବ ତୀର ଅରଣ୍ୟାନୀ ଶିରେ

ଉଦୟ ତପନ ଯେବେ, ତପ୍ତ ହେମକାରେ

ଅବଗାହେ ବନରାଣୀ, ବନ ବୈତାଳିକ

ବିହଳ କାକଳିନାଦେ କାନନ ଚମକ

ହୁଏ ଯେବେ, ବୃଦ୍ଧ ପୁରଞ୍ଜୟ କନ୍ୟା ସନେ

ବାହାରନ୍ତି ଧୀରେ ଧୀରପଦ ବିକ୍ଷେପଣେ ।

ଯଷ୍ଟି ଖଣ୍ଡି ଧରି ଅଗ୍ରେ ବିଜଳା ଗମଇ,

ପ୍ରାନ୍ତଭାଗ ଧରି ପିତା ପଛେ ପଛେ ଯାଇ ।

କାଳକବଳିତ ବୀଣାଟିଏ ବାମକରେ

ଧରି ନଗରାଭିମୁଖେ ଯାନ୍ତି ଏ ପ୍ରକାରେ ।

ପ୍ରତି ଦ୍ୱାରେ ଦ୍ୱାରେ ବୁଲି ବିପଞ୍ଚୀ-ସୁତାନେ

ଗାଇ ଗୀତ, ଜନମାନ୍ତି ତୁଳସୀ ଶ୍ମଶାନେ ।

ଶୁଣି ଅମୃତସ୍ରାବିଣୀ ବୀଣାର ଝଙ୍କାର,

ତତୋଽଧିକ ସୁଖଶ୍ରାବ୍ୟ ଗାନ ଗାୟକର,

ଶ୍ରବଣେ ବିମୁଗ୍ଧ ହୁଏ ଶ୍ରୋତାଙ୍କ ଅନ୍ତର,

ଦ୍ରବଇ ପାଷାଣ, ଝରେ ନୟନରୁ ନୀର

ଶୋଭାପିତୁଳା ବିଜଳା ମଳିନବସନା

ବସେ ମୌନମୁଖେ ସଦା ସଜଳନୟନା ।

ଦୟା ବହି ଭିକ୍ଷା ଆଣି ଦେଉଥାନ୍ତି ଜନେ,

ନିଅଇ ଆଦରେ ତାହା ବିସ୍ତାରି ବସନେ ।

ସାୟାହ୍ନ-ପଶ୍ଚିମାକାଶେ ଯେବେ ଦିନମଣି

ଢଳନ୍ତି, ଫେରନ୍ତି ବାସେ ପିତା ପୁତ୍ରୀ ବେନି ।

କାଖେ କୁମ୍ଭ ଘେନି ଧୀରେ ଯାଏ ନୀର ପାଇଁ

ଗୁଣୁ ଗୁଣୁ ସ୍ୱରେ ମନେ ମନେ ଗୀତ ଗାଇ ।

ଭିକ୍ଷାଲବ୍ଧ ଦ୍ରବ୍ୟ ବାଳା କରଇ ରନ୍ଧନ,

ନିଶାରେ କରନ୍ତି ତାହା ବେନିଏ ଭୋଜନ ।

ପ୍ରାଣପଣେ ପିତୃସେବା କରଇ ବିଜଳା,

ଦୁହିତାବତ୍ସଳ ବୃଦ୍ଧଙ୍କର ଗଳାମାଳା ।

କେବେ ଜରାଳୀ ସୈକତ କୋମଳ ଶଯ୍ୟାରେ

ବସି ବିଜନେ ବିଜଳା ବିଷାଦ ଅନ୍ତରେ

କରେ ବିକଳେ ରୋଦନ କି ମନେ ବିଚାରି,

ଝରଝର ଝରୁଥାଏ ନୟନରୁ ବାରି ।

କ୍ଷୁଦ୍ର କରପଲ୍ଲବେ ଆଦରି ଚାରୁ ମୁଖ

ବ୍ୟାକୁଳେ କାନ୍ଦେ ବାଳିକା ହୋଇଣ ନିରେଖ ।

ପାଶରୁ ଅନ୍ତର ଜାଣି ଡାକନ୍ତେ ଜନକ,

ଶୋକ ସମ୍ବରି ସୁଶୀଳା ଆସେ ତାଙ୍କ ପାଖ ।

କେବେ ବା ତଟିନୀତଟ ଶିଳାପରେ ବସି

ବଜାଇ ବିପଞ୍ଚୀ ଗୀତ ଗାଏ ସୁଧାଭାଷୀ ।

ତଟିନୀ-ସମୀରେ ମିଶେ ସେ ତାନ ଲହରୀ,

ନୀରପ୍ରକମ୍ପନେ ପୁଣି ଚୁମ୍ବେ ଥରି ଥରି ।

ଶ୍ରବଣେ ସ୍ତମ୍ଭିତ ବନ, ନଦୀ, ଚରାଚର,

ଉତ୍କର୍ଣ୍ଣେ ଶୁଣି ଝରାଏ ପତତ୍ରି-ପତର ।

ଅର୍ଦ୍ଧଭୁକ୍ତ ତୃଣମୁଖେ କୁରଙ୍ଗ-ଅଙ୍ଗନା

ଶୁଣେ ସେ ସୁଧା-ସଙ୍ଗୀତ ଉଲ୍ଲୋଳନୟନା ।

ନୃତ୍ୟ ତେଜି କଳାପୀ ଶୁଣନ୍ତି ହର୍ଷମନେ,

ବାମାପାଶେ ମିଳନ୍ତି ମୋହନ ଆକର୍ଷଣେ ।

ରାଜହଂସୀ ମିଳେ ପାଶେ ତେଜି ସନ୍ତରଣ,

ଝରାଏ ବ୍ରତତୀ ବୃନ୍ତଚ୍ୟୁତ ପୁଷ୍ପମାନ ।

କୌମୁଦୀଚର୍ଚ୍ଚିତ ନୀଳ ଗଗନକୁ ଚାହିଁ

ବସିଥାଏ କେବେ ବାଳା ମୌନବତୀ ହୋଇ ।

ବିଜନେ ନିଶୀଥେ କେବେ ପିତାପାଶେ ବସି

ଗୀତାଧ୍ୟୟନେ ନିରତା ଥାଏ ପିକଭାଷୀ ।

କେବେ ବା ଆନ ପୁସ୍ତକ ସୁମନା ସୁମନେ

ପାଠ କରୁଥାଏ ଆହା ବସିଣ ନିର୍ଜନେ ।

ପାରାବତ, ମୃଗ, ମୃଗୀ, ମୟୂର, ମୟୂରୀ,

ରାଜହଂସ, ହଂସୀ ଆଦି ତାର ସହଚରୀ ।

ପୁତ୍ରକନ୍ୟାସମ ବାଳା ସମ୍ବୋଧେ ଆଦରେ,

ପରିଚାରୀ ତରୁ ଲତା ଘେନିଣ ବିହରେ ।

କ୍ରମେ କିଛିଦିନେ ତାର ଜୀବନ କାନନ

ପରଶିଲା ଯୌବନ-ମଳୟ-ସମୀରଣ ।

ବିକଶିଲା ସୁଷମା କୁସୁମ ଚାରୁ କଳି,

ନବୀନ ଲାବଣ୍ୟପ୍ରଭା ପଡ଼ିଲା ଉଛୁଳି ।

ଧନୁରେ ଯୋଚିବା ଯୋଗ୍ୟ ପୁଷ୍ପ ଜାଣି ମାର

ବିଶ୍ୱମୋହିନୀ ସୁଧା କି ଢାଳିଲା ତନୁର

ନିଜ ତନୁ ମନ ପରିବର୍ତ୍ତନ ହେବାର

ଲକ୍ଷି ବିଷଣ୍ଣ ହୋଇଲା ହୃଦ ଅବଳାର ।

ପିତୃସେବା କରେ ବାମା ଅନନ୍ୟମାନସେ,

ପୂର୍ବପରି ପିତା ସଙ୍ଗେ ଭିକ୍ଷା କରି ତୋଷେ ।

ତଟିନୀତଟସ୍ଥ ସୁବିଶାଳ ଶିଳାପରେ

ବସି ଦିନେ ଶଶିମୁଖୀ ସାନ୍ଧ୍ୟରବିକରେ-

ସ୍ନାତ ପଶ୍ଚିମ ଆକାଶେ ଚାହିଁ ବିମ୍ବାଧରୀ,

ନୈରାଶ୍ୟନଦେ ଛାଡ଼ିଛି ଭାବନାର ତରୀ ।

ମଧୁର ଶୈଶବକାଳ, ଜନନୀର କୋଳ,

ପ୍ରାଣାଧିକ ସହୋଦର ସଙ୍ଗତେ କନ୍ଦଳ,

ଧୂଳିଧୂସରିତ ତନୁ କରେ ଝାଡ଼ିବାର,

ସସ୍ନେହ ଚୁମ୍ବନ ଆହା ବଚନ ମାତାର,

ଦିନ ଦିନକର କଥା ମନେ ପଡ଼ିଯାଏ,

ତରଙ୍ଗିଣୀବକ୍ଷେ କି ତରଣୀ ଭାସିଯାଏ ।

କିବା ଶାରଦ ଆକାଶେ ବଉଦର ମାଳା

ଖଣ୍ଡ ଖଣ୍ଡ ଯାଏ ଭାସି, ତେସନ ଅବଳା-

ହୃଦକାଶେ ଅତୀତର ସ୍ମୃତି-ଘନରାଶି

ଗୋଟି ଗୋଟି ଗଲା ଭାସି; ଅବଶେଷେ ଆସି

ଭବିଷ୍ୟତ ଅସହାୟ ଦଶା ଚିନ୍ତା-ଘନ

ନୈରାଶ୍ୟ ହୃଦୟାକାଶ କରିଲା ଆଚ୍ଛନ୍ନ ।

ଭାଳେ ମନେ ମନେ ବାଳା ତେଜି ଦୀର୍ଘଶ୍ୱାସ,

‘‘ପିତା ବିନା ଏ ଜଗତେ କେ ମୋହର ଆଶ ?

ଜରାଳୀ-କୋଳ-ବୁଦୁଦସମ କାଳନୀରେ

ଯାଇଛି ମୋ ଆଶା ଭାସି ନୈରାଶ୍ୟ-ସ୍ରୋତରେ ।

ଏହି ଜରାଳୀର କୁଳେ ସେ ସ୍ୱର୍ଗୀୟ ଲତା

ପ୍ରାଣର ଜନନୀ ମୋର ହେଲା ଭସ୍ମୀଭୂତା ।

ଏ ସୈକତ ଅସ୍ତରଣେ ଭୀମ ଚିତାକୋଳେ

କରିଛି ଶୟନ ଭାଇ କାଳର କବଳେ ।

ମାଗୋ ତୋର ସ୍ନେହବୃନ୍ତେ ଦୁଇଟି କୋରକ

ଜନମି ଛିଣ୍ଡିଲା ଏକ, ରହିଲି ମୁଁ ଏକ ।

ପଡ଼ୁଅଛି ମନେ ମାଲୋ ! ଅନ୍ତିମେ ତୋହର,

କ୍ଷୀଣ ମଧୁରତାବୋଳା ବାଣୀ ସକାତର ।

ଗଦଗଦ ସ୍ୱରେ ଧରି ପିତାଙ୍କ ପୟର

କହିଲୁ, ‘ମୋ ଲାଗି ନ ଭାବିବ ପ୍ରାଣେଶ୍ୱର;

ପାଳିବ ଯତନେ ଏହି ନିଧି ଦୁଃଖିନୀର;

ମୋତେ ନ ଝୁରିବ ଯେହ୍ନେ ବିଜଳା ମୋହର ।’’

ଏତେ କହି ମୁଦିଲୁ ମା ସଜଳ ନୟନ,

ଚିରନିଦ୍ରାରେ ଗୋ ସତ ବଳିଲା କେସନ !

ଆହା ବିଧି, ଏହା ପୁଣି ଥିଲା ମନେ ତୋର,

କିପାଇଁ ହରିଲୁ ନେତ୍ର ପିତାଙ୍କର ମୋର ?

ମୋ ପ୍ରାଣ ନ ଯାଇ ଦେହେ ରହିଲା କିପାଇଁ ?

ଜୀବନ ଦୁର୍ଗମପଥେ ନିଃସହାୟ ମୁହିଁ ।

ଏକେ ତ ସ୍ଥବିର ପିତା, ଶୋକ ଝଞ୍ଜାବାତେ

ଉପୁଡ଼ି ରହିଅଛନ୍ତି, ଯେବେ ଅକସ୍ମାତେ

ପଡ଼ିବେ ଭୂତଳେ, ଆହା । କାହାର ଆଶ୍ରୟ

ଲଭିବ ଏ ଅଭାଗିନୀ ? ହା ହତହୃଦୟ !’’

ବାଷ୍ପରୋଧ କରି ନ ପାରିଲା, ଉଚ୍ଚସ୍ୱରେ

କାନ୍ଦନ୍ତେ ଭାବନାଶକ୍ତି ଶୋକ-ପାରାବାରେ

ବୁଡ଼ିଲା, ବୁଡ଼ଇ ଯଥା କର୍ଣ୍ଣଧାର ବିନା

ଭଗ୍ନ ତରଙ୍ଗିଣୀ, ତଥା ବ୍ୟାକୁଳ ନବୀନା ।

ବାମକରତଳେ ଗଣ୍ଡ, ଗଳଦଶ୍ରୁ ଧାର

କମଳୁ କି ପଡ଼େ ଝରି ନିଶାନ୍ତ ତୁଷାର ।

ଶୋକାରୁଣ ବନଜ-ବଦନାର ବଦନ,

ଦେଖିଲା ଆସି ସେକାଳେ କୁରଙ୍ଗୀନନ୍ଦନ ।

ମଳିନ ବସନାଞ୍ଚଳ ବାଳାର ମୁଖରେ

ଧରି ଆକର୍ଷିଲା, ଆହା ଖରଶୋକଝରେ

ପଡ଼ିଲା ବନ୍ଧ ସହସା, ଚମକି ବିଜଳା

ଚାହିଁଲା, ସ୍ନେହପାଳିତ କୃଷ୍ଣମୃଗବଳା

ଅଞ୍ଚଳ ଟାଣି କହଇ ସ୍ନେହବୋଳା ବାଣୀ;

ଆଦରେ ଧରିଲା ଅଶ୍ରୁ ମୁଞ୍ଚି ଏଣୀକ୍ଷଣୀ ।

ମୁଖେ ମୁଖେ ଦେଇ ସ୍ନେହେ ଦିଅନ୍ତେ ଚୁମ୍ବନ,

ଘୋଟକ ଝପଟନାଦ ପଶିଲା ଶ୍ରବଣ ।

ସହସା ସିହାଣୀ ଫେରି ଦେଖିଲା ଅଦୂରେ,

ବୁଡ଼ିଲା ଭୟ-ବିସ୍ମୟ-ଲଜ୍ଜା-ଜଳଧିରେ ।

ଦ୍ୱିତୀୟ ଅନଙ୍ଗମୂର୍ତ୍ତି ତୁରଙ୍ଗପୃଷ୍ଠରେ,

ଉପବିଷ୍ଟ ଯୁବାମଣି ମୃଗୟା ବେଶରେ ।

ସୁସଜ୍ଜିତ ବରବପୁ, କରେ ଧନୁ ତୀର,

କଟିତଟେ ବିଲମ୍ବିତ ବଦ୍ଧ ତରବାର,

ଝଳି ଗୌରବପୁ ତପ୍ତ ହେମପ୍ରଭା ଗଞ୍ଜେ,

ନେତ୍ରେ ନାରୀଧୃତିଚୋରା ଜ୍ୟୋତି କି ବିରାଜେ ।

ବୀରପରିଚ୍ଛଦେ କଳେବର ଆଚ୍ଛାଦିତ,

ପ୍ରୀବାରେ ଲମ୍ବେ ବାବୁରି କୁନ୍ତଳ କୁଞ୍ଚିତ ।

ସୌନ୍ଦର୍ଯ୍ୟ-ସରେ ଶ୍ରୀମୁଖ-ବିକଚ-ପଙ୍କଜ

ବାସେ ଚୁମ୍ବେ କି ସେ କେଶ ଅଳି-ଶିଶୁବ୍ରଜ ।

ଦେଖି ଯୁବତୀ ମୋହନମୂରତି ଯୁବାର,

ସଂହରି ନେଲା ଚାହାଣି ବେଗେ ରାମାବର ।

‘‘କେ ଏ ବୀରବର’’ ବାମା ଭାବେ ମନେ ମନେ,

ଅତନୁ କି ତନୁ ଧରି ବିଜେ ଏ ବିପିନେ ?

ପିଇଛି ନୟନ କେତେ ଶୋଭା-ମଧୁପଣା,

ମାତ୍ର ଏ ସୌନ୍ଦର୍ଯ୍ୟସୁଧା ଧୈର୍ଯ୍ୟ କଲା ବଣା ।

ବାରେକ ନିରେଖି ପିଣ୍ଡେ ପ୍ରାଣ ଥିବାଯାଏ

ଏ ଅତୁଳ ଚନ୍ଦାନନ ପାସୋରିବ କିଏ ?

ଛାର ନରତରୁଣୀ, ମେନକା, ଉରୁବଶୀ

ଏ ମୁଖ ଦର୍ଶନେ ନିଶ୍ଚେ ପଦେ ହେବେ ଦାସୀ ।

ଶୋଭାରାଣୀ ଆହା, ପଦ-ସରୋଜ ତଳକୁ

ନୋହିବେଟି ଯୋଗ୍ୟ, ମୋର ଆସଇ ମନକୁ ।

କିପାଁ ଅକସ୍ମାତେ ମନ ହୋଇଲା ଚଞ୍ଚଳ,

ଅପୂର୍ବ ଉନ୍ମାଦେ ହୃଦ ହୁଏ ଉତ୍ତରଳ,

କିପାଇଁ ବୃଥା ଦୁରାଶା ପ୍ରାଣକୁ ସବଳେ

ବିକାଇଲା ଏ ଅତୁଳ ଶ୍ରୀଚରଣତଳେ ?

କାଙ୍ଗାଳିନୀ ପାଏ କାହିଁ ହୀରକର ଖଣି ।

ଚକୋରୀ ଅଧରେ ସୁଧା କିଏ ଦେବ ଆଣି ।

ରେ ମନ, ଭ୍ରମୁଛି କିପାଁ ଦୁରାଶା-କାନନେ,

ଲୋଡ଼ୁଛି ଚିର-ସନ୍ତାପ-ପୁଷ୍ପ ଆହରଣେ ?’’

ଏମନ୍ତ ଭାଳନ୍ତେ ଶରଦିନ୍ଦୁ ନିଭାନନୀ,-

ଭାବନାବିମ୍ବିତ ଗଣ୍ଡ-ଆଦରଶେ ପୁଣି ।

ଏଥିମଧ୍ୟେ ତୁରଗୁ ଉତୁରି ବୀରବର,

ତରୁଡ଼ାଳେ ବାନ୍ଧି ଉଭା ସମ୍ମୁଖରେ ବାଳାର ।

କାନନକମଳା ସମ ଦେଖି ବିଜଳାରେ

ଆକର୍ଷିତ ମନ-ମୀନ ଚାପ ବଡ଼ଶୀରେ ।

ଖେଳାଖଞ୍ଜନନୟନା ଚାହାଣି-ବାଗୁରା,

ମୃଗସମ ମୃଗୟୁ ପଡ଼ିଲା ତହିଁ ଧରା ।

ଚୁମ୍ବକ ଆକୃଷ୍ଟ ଲୌହପ୍ରାୟେ ବୀର ମନ

ସୁଷମାମୁକୁଟଝରା ଲପନେ ଲଗନ ।

ଭାଳେ ମନେ ଯୁବା, ‘‘ଏ କି କାନ୍ତିକୁଳେଶ୍ୱରୀ,

କେତେକାଳେ ବିଧି ଗଢ଼ିଅଛି ଏ ସୁନ୍ଦରୀ ?

ପ୍ରଳମ୍ବକୁନ୍ତଳଭାର ଧୂଳିଧୂସରିତ,

କାଦମ୍ବିନୀ କୋଳେ ସୌଦାମିନୀ କି ସ୍ଥକିତ ?

ଯୌବନ ମାଠେ ମାଠିଛି ଶିଳ୍ପୀ ଫୁଲଧନୁ,

ଲାବଣ୍ୟନୀରେ କି ସ୍ନାତ କରିଅଛି ତନୁ ?

ଆକର୍ଣ୍ଣବିସ୍ତୃତ ଆହା ନୟନକମଳ,

ଖେଳେ ତରଙ୍ଗ ଚାହାଣି ତରଳ ସଲିଳ !

ଭୂରୁଲତା କିବା କାମ-କର-ଶରାସନ ?

ଚାହିଁବ ଯେ ବାରେ, ଶର କରିବ ମୁଞ୍ଚନ ।

ସୁମୁଖୀ ଚାରୁ ନାସିକ କିବା ମନୋହର,

ଅମଳ ଗଣ୍ଡଫଳକ କନକ-ମୁକୁର ।

ଥୋପି ପଡ଼ୁଛି କି ରଙ୍ଗ ଲଳିତ ଅଧରେ,

ପ୍ରବାଳ ମାଳ କି ଭାସେ ସୌନ୍ଦର୍ଯ୍ୟ-ସାଗରେ !

ଉଡ଼ି ଚୂର୍ଣ୍ଣ କୁନ୍ତଳ ସମୀର ପରଶରେ

ସୁରଭିଶ୍ୱାସିନୀ ଗଣ୍ଡ ଚୂମ୍ବେ ଥରେ ଥରେ ।

ମୃଣାଳ-ବାହୁବଲ୍ଲରୀ ସୁଗୋଲ ସୁନ୍ଦର,

କେଉଁ ଭାଗ୍ୟଧର-ଗଳା-ଚାରୁ-ଚମ୍ପାହାର ?

ହେମ-ପଦ୍ମକଳି କିବା ଉର ବନ୍ଧୁରିତ,

ସୁଧାପୂର୍ଣ୍ଣ ଘଟ ଶୋଭାସିନ୍ଧୁରୁ ଉତ୍ଥିତ ?

କ୍ଷୀଣୋଦରୀ କ୍ଷୀଣକଟି ଅର୍ଦ୍ଧ ବିମଳିନ

ବାସେ ଆଚ୍ଛାଦିତ, ଆହା ! ତଥାପି ଶୋଭନ ।

ଚାରୁଚରଣା ପାଦତଳ ସ୍ଥଳ-କମଳ

ଶୋଭାକୁ ଧିକ୍କାରେ, କାହୁଁ ହୋଇବ ବା ତୁଳ ।

ଆଭରଣହୀନ ଆହା ଅତୁଳ ସୁନ୍ଦରୀ,

ସଧବା କିବା ବିଧବା ନ ହୁଅଇ ବାରି ।

ସୁନ୍ଦର ସୀମନ୍ତେ ନାହିଁ ସିନ୍ଦୂରର ରେଖା,

ସୁଚାରୁ କରଯୁଗଳେ ନାହିଁ ଚୂଡ଼ି ଦେଖା ।

ରକ୍ଷକବିହୀନା ଶୋଭା ଉଦ୍ୟାନେ ବନିତା,

ଫୁଲ୍ଲକୁସୁମିତା ଆହା ଏ କନକଲତା ।

ନିରକ୍ଷକ ହେଲେହେଁ ରକ୍ଷକ ଅଛି ମାର,

ଯେ ଚାହିଁବ ଥରେ ମର୍ମ୍ମେ ବିନ୍ଧବ ତା ଶର ।

ଯା ହେବାର ହେଉ ନେବି ୟାର ପରିଚୟ,

କରୁ ନ କରୁ ସ୍ୱୀକାର, ପଛେ ଯା ଉପାୟ ।

ସୁନ୍ଦରୀମୁଖରୁ ପଦେ କଥା ଶୁଣିଯିବି,

ଶ୍ରବଣଯୁଗଳ ମୋର ସାର୍ଥକ କରିବି ।’’

ଏମନ୍ତ ଭାଳି ତରୁଣ-ମଉଳିମଣ୍ଡନ,

ତରୁଣୀ ସମ୍ମୁଖେ ଆସି ଦେଲେ ଦରଶନ ।

ସସମ୍ଭ୍ରମେ ଉଠି ଉଭା ହେଲା ସେ ଛଇଳା,

କପୋଳଦେଶେ ସଭୟ ବ୍ରୀଡ଼ା କଲା ଖେଳୀ ।

ଲଜ୍ଜା, ଭୟ, ନବପ୍ରେମ, ଅନୁରାଗଭରେ,

ସୁତନୀ, ତନୁଲତିକା ମୃଦୁମନ୍ଦ ଥରେ ।

ସମୀରେ କମ୍ପିତା କିବା ମାଧବୀ-ବଲ୍ଲରୀ

ପୁଷ୍ପ ପର୍ଣ୍ଣସହ, ତଥା କମ୍ପେ ବିମ୍ବାଧରୀ ।

ବିଜୁଳି ଚମକେ ଥରେ ଚାହିଁଲା ବିଜଳା

ବୀର ଚାରୁମୁଖେ, ପୁଣି ନତ କଲା ଡୋଳା ।

ଆକାର ବିକାରୁ ବାଳା ଅନୁରାଗ ଲକ୍ଷି

ମନେ ମନେ ଯୁବାମଣି ହେଲେ ଅତି ସୁଖୀ ।

କହିଲେ ଧୀରେ, ‘‘ସୁନ୍ଦରୀ ! ଭୟ କିପାଁ କର,

ଶ୍ରୀମୁଖ ଦର୍ଶନମୂଲ୍ୟେ କିଣା ମୁଁ ତୁମ୍ଭର ।

ନୋହେ ପର, ସଖି । ରାଜା ମୟୂରଶେଖର

ଏଦେଶ ନରେଶ, ମୁହିଁ ତାହାଙ୍କ କୁମର

ବୀରେନ୍ଦ୍ରକୁମାର ମୋର ନାମରେ ଲଳନା,

ବୃଥା ଲଜ୍ଜାଭୟେ କିପାଁ ହୁଅ ଛନ୍ନମନା ?

ରେ ମୃଗନୟନେ । ମୃଗୟା ସକାଶେ ମୁହିଁ

ଯାଇଥିଲି ଦୂରବନେ, ଏଥେ ଆସିଲଇଁ ।

ଶିକାରୀ ହୋଇ ମଦନ-ଶିକାରୀର କରେ

ପଡ଼ିଗଲି ଧରା ଚାହିଁ ଚାରୁ ମୁଖରେ ।

କେଉଁ ଭାଗ୍ୟବତୀ ଗର୍ଭସାଗରସମ୍ଭୂତା

ଅଟୁ ବଧୂଲିଅଧରା ! କାମିକଳ୍ପଲତା ।

କେ ଅବା ଜନକ ତବ ? କେଉଁ କୁଳେ ଜାତ ?

କାନନେ କାହୁଁ ଆସିଲୁ ମର୍ତ୍ତ୍ୟପାରିଜାତ ?

କହି ସନ୍ଦେହଭଞ୍ଜନ କର ଜବାଧରା,

ସଂଶୟଦୋଳାରେ ମନ ହୁଅଇ ଅଧିରା ।’’

ଯୁବକର ପରିଚୟେ ଜାଣିଲା ସିହାଣୀ,

ହରିପୁର ଯୁବରାଜ ବୀରେନ୍ଦ୍ର ଅଗ୍ରଣୀ ।

ତ୍ରପାରେ ପୋତି ତଳକୁ ଚାରୁ ଚନ୍ଦ୍ରାନନ

ମଧୁ ବୀଣାସ୍ୱରେ ଧୀରେ କହିଲା ଏସନ ।

‘‘ହେ କୁମାର ! ପରିଚୟ କିବା ଦେବି ମୋର !

ପଥଭିକାରୁଣୀ ମୁହିଁ, ଏହି ମୋ କୁଟୀର ।

ମୋ ଦୁଃଖ ଶୁଣିଲେ ଶିଳା ଦ୍ରବି ଯାଏ ବହି,

କୋମଳହୃଦୟ ତବ, ପାରିବ କି ସହି !

ସୁଦୂର ମାଳବଦେଶେ ଥିଲେ ନରବର

ପୁରଞ୍ଜୟନାମେ, ଅତି ଧାର୍ମିକପ୍ରବର ।

ନିୟତିର ବାକ୍ୟ ଦେବ । କେ କରିବ ଆନ,

ଅକସ୍ମାତେ ରାଜ୍ୟରେ ପଶିଲେ ଶତ୍ରୁଗଣ ।

ବିଶ୍ୱାସଘାତକ ମନ୍ତ୍ରୀ ମନ୍ତ୍ରଣାର ଫଳେ

ରାଜ୍ୟ ଧନ ହରିଲେ ଅଶେଷ କଉଶଳେ ।

ସମର ଏକ ତୀର ଆଘାତେ ରାଜାଙ୍କର

ଚକ୍ଷୁ ଏକ ନଷ୍ଟ ହେଲା, ଶେଷେ ଘୋରତର

ସମରେ ପରାସ୍ତ ହେଲେ, ବିଷାଦେ ରାଜନ

ରାଣୀ ଶିଶୁପୁତ୍ର ବେନି ସଙ୍ଗତେ ଘେନିଣ

ଗୁପ୍ତପଥେ ରଜନୀରେ ରାଜ୍ୟ ଛାଡ଼ି ଗଲେ,

ଶତ୍ରୁସୈନ୍ୟ ଅଲକ୍ଷ୍ୟରେ କାନନେ ପଶିଲେ ।

ପାଞ୍ଚ ମାସ ଗର୍ଭଭାର ଆହା ରାଣୀଙ୍କର,

ନାନାକଷ୍ଟେ ସଙ୍ଗେ ଘେନି ବୁଲନ୍ତି ବନର ।

ଶତ୍ରୁଚରଭୟେ ଜନପଦେ ନ ରହନ୍ତି,

ବନେ, ପର୍ବତକନ୍ଦରେ କନ୍ଦରେ ଭ୍ରମନ୍ତି ।

ବନକଣ୍ଟା ଲାଗି କ୍ଷତବିକ୍ଷତ ଶରୀର

ହୁଏ, ରାଣୀ ଶିଶୁ ଘେନି ବ୍ୟଥିତ ଅନ୍ତର ।

ବନଫଳ ଭୋଜନେ ଉଦର କରି ଶାନ୍ତି,

ଲକ୍ଷ୍ୟହୀନେ ପଥ ଅତିକ୍ରମ କରୁଥାନ୍ତି ।

ଗର୍ଭାଳସୀ ରାଣୀଙ୍କର ପଥ ଚାଲିବାର

ନ ରହିଲା ଶକ୍ତି, କ୍ରମେ ଚିନ୍ତିତ ଅନ୍ତର ।

କେତେଦିନେ ଆସି ଏଥେଁ ପରବେଶ ହେଲେ,

ନିର୍ମାଣ କରି କୁଟୀର ଏଠାରେ ରହିଲେ ।

ସାମାନ୍ୟ ସମ୍ବଳେ ଆସିଥିଲେ ନରରାୟ,

ପଥରେ ହେଲା ନିଃଶେଷ, ହେଲେ ନିରୁପାୟ ।

ଉଦର ପୋଷଣଅର୍ଥେ ଆତ୍ମଗୋପନରେ

ଭାଟବେଶେ ଭିକ୍ଷା ପାଇଁ ଯାଆନ୍ତି ନଗରେ ।

ସଙ୍ଗୀତଶାସ୍ତ୍ରରେ ଥିଲେ ଅତି ସୁନିପୁଣ,

ନରପତି ଛଦ୍ମବେଶେ କରନ୍ତି ଗାୟନ ।

ବୀଣା ସହଯୋଗେ ଗାଇ ପ୍ରତି ଦ୍ୱାରେ ଦ୍ୱାରେ

କରନ୍ତି ଭିକ୍ଷା, ଉପାୟ ନ ଦେଖି ଏଠାରେ ।

ପ୍ରସବବେଦନା ଯେବେ ହେଲା ରାଣୀଙ୍କର,

ନିଃସହାୟା, ପାଶେ କେହି ନ ଥିଲେ ତାଙ୍କର ।

ଏହିଠାରେ ଏ କୁଟୀରେ ଏ ଅଭାଗିନୀର

ହୋଇଲା ଜନମ ସେହି ରାଣୀଙ୍କ ଗର୍ଭର ।

ପ୍ରସବନ୍ତେ ମାତା ମୋର ହେଲେ ମୁରୁଛିତା,

ଧୂଳି ପଙ୍କିଳେ ପତିତା ଯେହ୍ନେ ଅରକ୍ଷିତା ।

ମାତା ଦଶା ଦେଖି ଭ୍ରାତା ବିଜୁଳିଭୂଷଣ,

ପାଞ୍ଚବର୍ଷ ମାତ୍ର ଶିଶୁ, କରଇ ରୋଦନ ।

କେତେକ୍ଷଣେ ପିତା ହେଲେ ନଗରୁ ଆଗତ,

ଦେଖିଲେ ଜନନୀ ହୋଇଛନ୍ତି ମୁରୁଛିତ ।

ଶତ ଶତ ଦାସୀ ଖଟିଥିଲେ ଯା ପୟର,

ଦୀନା ପରା ଦଶା ଆଜି ସେହି ରାଣୀଙ୍କର ।

ସୁକୁମାର ପାରିଜାତ ଲୁଣ୍ଠିତ କର୍ଦ୍ଦମେ,

ହେରି ଅତିଶୟ ଦୁଃଖୀ ହେଲେ ନିଜ ମନେ ।

ପିତାଙ୍କ ଶୁଶ୍ରୂଷା ଯତ୍ନେ ହେଲା ମାତାଙ୍କର

ଚେତନା, ଏ ଦୁଃଖିନୀର କରିଲେ ସତ୍କାର ।

ଏମନ୍ତେ ଦୁଃଖ ସୁଖରେ ଲାଳନ କରନ୍ତି,

ବିଜଳା ବୋଲି ଏ ଦୁଃଖିନୀକି ଡାକୁଥାନ୍ତି ।

ଭାଇଙ୍କ ସଙ୍ଗରେ ସୁଖେ ଏହି ନଦୀତୀରେ

ଖେଳି ବୁଲୁଥାଏ, ଆହା ଏ ଜୀର୍ଣ୍ଣ କୁଟୀରେ

ଜନନୀ ମୋହର ନିତି ବିଦ୍ୟା ଅଧ୍ୟୟନ

କରାନ୍ତି ଆମ୍ଭଙ୍କୁ, ପୁଣି ଜନକ ଆପଣ

ଅସ୍ତ୍ରଶିକ୍ଷା ଦେଉଥାନ୍ତି, ସସ୍ନେହ ଆଦରେ

ପାଳୁଥାନ୍ତି ମାତା ପିତା ଅତି ଆନନ୍ଦରେ ।

ଦରିଦ୍ର ଦମ୍ପତି ଆହା ଆମ୍ଭ ମୁଖ ଦେଖି

ପାସୋରନ୍ତି ଦୁଃଖ, ମନେ ହେଉଥାନ୍ତି ସୁଖୀ ।

କାନନର କପୋତ କପୋତୀ ସମ ସୁଖେ,

ଆମ୍ଭଙ୍କୁ ସେ ପାଳୁଥାନ୍ତି ଘେନି ବୁକେ ବୁକେ ।

ଅମରାବତୀକୁ ବଳେ ଏ କ୍ଷୁଦ୍ର କୁଟୀର,

ଅମୃତରୁ ସ୍ୱାଦ ଭିକ୍ଷାଲବ୍ଧ ଯେ ଆହାର ।

ଜନନୀର ସ୍ନେହକୋଳେ ଭାଇ ଭଗ୍ନୀ ବେନି

ବଢ଼ିଲୁଁ, ଅନ୍ୟ ଭାବନା ନ ପାରିଲୁ ଜାଣି ।

ଶାରଦୀୟ ସପ୍ତମୀ ମଧୁର ପ୍ରଭାତରେ

ମାତାଙ୍କୁ ନ କହି ବେନି ଗଲୁଁ ବନଘୋରେ ।

‘ତୋଳି ଫୁଲ ପୂଜିବା କାନନଦୁର୍ଗାପାଦ,’

ଖେଳ କଉତୁକେ ଭାଇ ବଳାଇଲେ ସାଧ ।

ତରୁଡାଳେ ଚଢ଼ି ଡାଳ ଦୋହଲାନ୍ତି ଭାଇ,

ତଳେ ମୁଁ ଅଞ୍ଚଳେ ଭରେ କୁସୁମ ଗୋଟାଇ ।

କ୍ଷୁଦ୍ରତମ ସର୍ପ କାହୁଁ ଅକସ୍ମାତେ ଆସି

ଭାଇଙ୍କ କ୍ଷୁଦ୍ର ପୟରେ ଦେଲା ଆହା ଦଂଶି ।

ଓହ୍ଲାଇ ଭୂତଳେ ବିଷ ଦାରୁଣ ଜ୍ୱାଳାରେ

ହେଲେ ଅତି ଅସ୍ଥିର ସେ ବିଜନ କାନ୍ତାରେ ।

ସପ୍ତ ବର୍ଷ ଶିଶୁ ମୁହିଁ କି ବା ସାଧ୍ୟ ମୋର,

କି କରିବି ଭାବି ହେଲି ଅତ୍ୟନ୍ତ କାତର ।

କାନ୍ଦିଲି ଉଚ୍ଚରେ ଭାଇଙ୍କର ମୁଖ ଚାହିଁ,

ବ୍ୟାକୁଳେ ଅଥୟେ ମୋତେ ପ୍ରବୋଧନ୍ତି ଭାଇ ।

‘ନ କାନ୍ଦ ବିଜଳା ପ୍ରାଣ ଭଗିନୀ ଲୋ ମୋର,

ସରିଗଲା ଲୀଳା ଖେଳା ଆଜିଠୁଁ ମୋହର ।

ମାଆ ବାପାଙ୍କର ମୁଖ ଦେଖିବାର ପାଇଁ

ରହିବ ନାହିଁ ଏ ପ୍ରାଣ ଜାଣିଛୁ ଲୋ ମୁହିଁ ।

ମୋପାଇଁ କାନ୍ଦିବୁ ନାହିଁ, ମୋ ରାଣଟି ତୋତେ,

କହିବୁ ମାତାଙ୍କୁ ଆଉ ନ ଦେଖିଲି ନେତ୍ରେ ।

ଶ୍ରୀମୁଖୁ ଶୁଣିଲି ନାହିଁ ସ୍ନେହବୋଳା ବାଣୀ,

ମୋତେ ଭାବି ମନେ ନ କରିବେଟି ଭାଳେଣି ।

ଏ ବଚନ ଶୁଣି ମୁହିଁ ଅଧିକେ ରୋଦନ

କରନ୍ତେ ପ୍ରତିଧ୍ୱନିତ ହୁଅଇ କାନନ ।

ଏଣେ ପିତା ଅନୁସରି ଅନ୍ତରେ ଚିନ୍ତିତ,

ବନେ ବନେ ଖୋଜି ବୁଲି ହେଲେଣି ବ୍ୟଥିତ ।

ମୋ ରୋଦନରବ ଶୁଣି ପିତା ସେ ସ୍ଥାନରେ

ପ୍ରବେଶି ଦେଖିଲେ ଭାଇ ବିଷର ଜ୍ୱାଳାରେ

ହେଉଛନ୍ତି ଛଟପଟ, ବାଣବିଦ୍ଧ ମୀନ

ପରାୟେ, ଦେଖି ଦୁଃଖରେ ହଜିଗଲା ଜ୍ଞାନ ।

କହିଲେ ମୁମୂର୍ଷୁ ଭ୍ରାତ କ୍ଷୀଣ ମୃଦୁସ୍ୱରେ,

‘ପିତଃ ! ନିଅ ବହି ମୋତେ ମାତାଙ୍କ ପାଶରେ,

ଦେଖିବି ତାହାଙ୍କ ମୁଖ, ଚିରଦିନ ପାଇଁ

ନେବି ମୁଁ ବିଦାୟ ଆଉ ବେଳ ମୋର ନାହିଁ ।’

ଏହା ଶୁଣି ପିତା ତାଙ୍କୁ ତୋଳିଲେ ବକ୍ଷରେ,

ଅଳ୍ପକ୍ଷଣ ମଧ୍ୟେ ବହି ଆଣିଲେ କୁଟୀରେ ।

ମାତାଙ୍କ କୋମଳ କୋଳେ ଦିଅନ୍ତେ ଶୁଆଇ,

କହିଲେ ସେ ସଜଳଜଳଜ ମୁଖ ଚାହିଁ ।

‘କେତେ କଷ୍ଟେ ପାଳିଥିଲ ମୋତେ ଗୋ ଜନନି

ଯାଉଛି ଗୋ, ଶ୍ରୀଚରଣୁ ନେଉଛି ମେଲାଣି ।

ନ ଚିନ୍ତିବ ଆଉ ମୋତେ, ବିଜଳା ମୋହର

ମୋ ବିହୁନେ ହେବ ମାଗୋ । ଅତି ନାରଖାର ।

ଅବୋଧ ବାଳିକା, ତାକୁ ଯତନେ ବୋଧିବ,

ହତଭାଗାକୁ ଗୋ ଆଉ ମନେ ନ କରିବ ।’

ସ୍ୱର ରୁଦ୍ଧ ହେଲା, ବାଳା ଶୋକରେ ବିହ୍ୱଳ;

ଦର ଅଶ୍ରୁଝର ଚାରୁ ନୟନେ ବହିଲା ।

ମୁହୂର୍ତ୍ତେ ସମ୍ବରି ଶୋକ କହେ ପୁଣି ଧୀରେ,

‘‘ହେ କୁମାର ! ଏତେ କହି ଆହା କ୍ଷୀଣସ୍ୱରେ

ଚିରତରେ ମୁଦିଲେ ସୁନ୍ଦର ନେତ୍ର ବେନି,

ତକ୍ଷଣେ ଭୂତଳେ ଲୋଟି କାନ୍ଦିଲେ ଜନନୀ ।

ମୃତ ପୁତ୍ରମୁଖେ ଦୁଃଖେ ଦେଇଣ ଚୁମ୍ବନ

ଶୋକବିହ୍ୱଳିତା ମାତା ବୋଇଲେ ଏସନ,

‘ଆହା ରେ ଦରିଦ୍ରଧନ ! ଦୁଃଖିନୀର ନିଧି !

କେମନ୍ତେ ହରିଲୁ କୋଳୁ ଆରେ କ୍ରୁର ବିଧି ।

କାହିଁ ଗଲୁ ବାପ ମୋର ରଙ୍କୁଣୀ-ରତନ,

ଫାଟିଯାଏ ହୃଦ, ପଦେ କହ ରେ ବଚନ ।

ରେ ବାବୁ ! ତୋହର ପର୍ଣ୍ଣ ସୁଧାଂଶୁ-ବଦନ

ଚାହିଁ ଚିନ୍ତାତୀତ ଦୁଃଖେ ହରୁଥିଲି ଦିନ ।

ରାଜ୍ୟ, ଧନ, ଗୃହ ଛାଡ଼ି ଶେଷେ ଭିକ୍ଷା କରି

ନ ଜାଣେ ରେ ଦୁଃଖ ତୋର ଚାରୁମୁଖ ହେରି ।

ଯାଇଥାଉ ଖେଳି ବୁଲି, ତୋ ଆସିବାଯାଏ

ତୃଷିତ ନୟନେ ତୋର ବାଟ ଚାହିଁଥାଏ ।

ମାଆ ବୋଲି ଯେତେବେଳେ ଡାକୁ ବାପଧନ,

ହୃଦୟ-ଆକାଶୁ ଦୂର ହୁଏ ଚିନ୍ତାଘନ ।

ଉଠ ବାବୁ ! ପିତା ତୋର ଦେଖିଣ ଏ ଦଶା

ଶୋକେ ଆକୁଳ ହୃଦୟ ଦୁଃଖରେ ବିବଶା ।

ପିତୃ ଆଜ୍ଞାକୁ ଅବଜ୍ଞା ଦିନେ କରି ନାହୁଁ,

ଆଜି କାହିଁକି ରେ ବାପ, କଥା କହୁ ନାହୁଁ ?

ପ୍ରାଣରୁ ଅଧିକ ତୁ ଯାହାକୁ ଥିଲୁ କରି,

ସେ ବିଜଳା କାନ୍ଦି ଲୋଟେ ତୋର ପାଦ ଧରି ।

ତା ବିକଳ ତିଳେ ସହି ନ ପାରୁ ରେ ବାଳ,

ଆଜି କେମନ୍ତେ ମଉନେ ଶୋଇଛୁ ଭୂତଳ ?

ଉଠ ବାପଧନ ! ମୋର ମାନି ରେ ବଚନ,

‘ମାଆ’ ବୋଲି ଥରେ ମାତ୍ର ଡାକ ତୁ ବହନ ।

ଅନ୍ଧୁଣୀ-ନୟନ-ତାରା, ବିହୁନେ ରେ ତୋର

ଦଶ ଦିଗ ଦିଶେ ମୋର ନେତ୍ରେ ଅନ୍ଧକାର ।

ଉଠ ଗଳାମାଳୀ ଦୁର୍ଗା ପୂଜିବୁ ତୁ ପରା !

ହେଉଛି ଉଛୁର, ଫୁଲ ଝାଉଁଳିଲା ପରା ।

ରାନ୍ଧି ରଖିଅଛି ଅନ୍ନ ଉଠି ଭୁଞ୍ଜ ବାବୁ,

କ୍ଷୁଧାରେ ଆକୁଳ ତନୁ, କିପାଇଁ ଶୋଇବୁ ?

ଉଠ ରେ ଅଞ୍ଚଳନିଧି ଆନନ୍ଦପ୍ରତିମା,

ନୟନ ମେଲାଇ ଥରେ ମୁଖକୁ ତୁ ଅନା ।

ସତେ କି ରେ ଦୁଃଖିଧନ ଉଠିବୁ ତୁ ନାହିଁ !

କେମନ୍ତେ ଧରିବି ପ୍ରାଣ ତୋତେ ମୁଁ ହରାଇ ?

ତୋ ମଧୁର ହସହସ ସୁନ୍ଦର ଆନନ

ନ ଦେଖି କେମନ୍ତେ କହ ରହିବ ଜୀବନ ?

ରେ ଶୋକପାସୋରା, ଚାହିଁ କାହା ଚନ୍ଦ୍ରମୁଖ

କାଟିବି ମୁଁ ଦିନ ? କରିଗଲୁ ତୁ ନିରେଖି ।’

‘ଆହା ରେ କୁମର ମୋର’ ବୋଲିଣ ଭୂତଳେ

ମୂର୍ଚ୍ଛିତା ହୋଇଣ ଢଳି ପଡ଼ିଲେ ବିକଳେ ।

ରୋଦନରତ ପିତାଙ୍କ ଶୁଶ୍ରୂଷା ଫଳରେ

ସଂଜ୍ଞା ଲାଭ କରି ପୁଣି କାନ୍ଦିଲେ ଉଚ୍ଚରେ ।

ବକ୍ଷେ ଶିରେ କର ହାଣି ଉନ୍ମାଦିନୀ ପ୍ରାୟ

କାନ୍ଦନ୍ତେ ବିଦୀର୍ଣ୍ଣ ଶୋକେ କାନନ ହୃଦୟ ।

ପିତାହିଁ ଆକୁଳେ ଅଶ୍ରୁ କରନ୍ତି ବର୍ଷଣ,

ହୋଇଲା ଏମନ୍ତେ ଆସି ଦିବା ଅବସାନ ।

ଅନିତ୍ୟ ଜଗତ, ମିଥ୍ୟା, ନଶ୍ୱର ସଂସାର,

ଜାଣି ପିତା ଧୈର୍ଯ୍ୟେ କଲେ ରୋଦନ ସମ୍ବର ।

ନାନା ଉପଦେଶେ ପ୍ରବୋଧନ୍ତି ଜନନୀକୁ,

ଦାହ ଅର୍ଥେ ନେବେ ବୋଲି ମୃତ କୁମରକୁ ।

କୋଳେ ମାତା ଆବୋରନ୍ତି ତିଳେ ନ ଛାଡ଼ନ୍ତି,

କୁରରୀ ପ୍ରାୟ ଆକୁଳେ ରୋଦନ କରନ୍ତି ।

କ୍ଷଣେ କ୍ଷଣେ ଝାମ ଯାଇ ଗଡ଼ନ୍ତି ଧରାରେ,

ତପ୍ତଲୌହପାତ୍ରେ ମତ୍ସ୍ୟ ହୁଏ ଯେ ପ୍ରକାରେ ।

ନିରୁପାୟେ ପିତା ତେଣୁ ଚିନ୍ତିତ ଅନ୍ତର,

ମୂର୍ଚ୍ଛିତା ମାତାଙ୍କ କୋଳୁ ଭାଇଙ୍କୁ ମୋହର

ଘେନିଗଲେ ବଳେ, ଏହି ଜରାଳୀର କଳେ

ସମର୍ପଣ କଲେ ଭୀମ ଚିତାନଳକୋଳେ ।

ସେଦିନୁ ତାହାଙ୍କୁ ଝୁରି ଜନନୀ ମୋହର

ଉନ୍ମାଦିନୀ ପ୍ରାୟ ହେଲେ ଆକୁଳ ଅନ୍ତର ।

ପାନ ଭୋଜନକୁ ବିଷସମାନ ମଣିଲେ,

ଶେଷେ ଉତ୍କଟ ଉଦରପୀଡ଼ାରେ ପଡ଼ିଲେ ।

ଭାଇଙ୍କ ମରଣ ବେନି ମାସ ଗତ ହେଲା,

ମାତାଙ୍କର ବ୍ୟାଧି କ୍ରମେ ଦୁରାରୋଗ୍ୟ ହେଲା ।

ଦିନେ ପିତାଙ୍କୁ ସମ୍ବୋଧି କହିଲେ ମା ମୋର

ବିଶୁଷ୍କ ଆନନେ, ଅଶୁବାରି ଦରଦର

ବହିଯାଉଥିଲା ଆହା ବିଶାଳ ନୟନୁ,

ସେ କୋମଳ ବକ୍ଷେ ରଖି ମୋର କ୍ଷୁଦ୍ର ତନୁ ।

କହିଲେ କାତରକଣ୍ଠେ, କ୍ଷୀଣ ମୃଦୁ ସ୍ୱରେ,

‘ନାଥ ! ରଖ ଏ ନିଧିଟି ହୃଦୟ-ଭଣ୍ଡାରେ ।

ବିଜୁଳିଭୂଷଣ ବିନେ ଦେଖ ବିଜଳାର

କ୍ଷୀଣ ହୋଇଲାଣି କେହ୍ନେ ଦୁର୍ବଳ ଶରୀର ।

ଘେନୁଛି ଚିର ବିଦାୟ, ଦିଅ ଶ୍ରାପୟର-

ଧୂଳି ଦାସୀଶିରେ, ମୃତ୍ୟୁ ନିକଟ ମୋହର ।’

ହେଲେ ସେ ନୀରବ, ପୁଣି ମୋର କ୍ଷୁଦ୍ର ମୁଖ

ଚୁମ୍ବିଲେ ସସ୍ନେହେ,’’ ଆହା ଶୋକସିନ୍ଧୁ ବକ୍ଷ

ଉଦ୍ବେଳିତ ବିକ୍ଷୋଭିତ, ଦାରୁଣ ଆଘାତେ

ହେଲା ଆଘାତିତ ବାଳା, ଆକୁଳିତ ଚିତ୍ତେ

ମୁଞ୍ଚେ ନୟନ-ଆସାର, କପୋଳ-କମଳ

ଧୌତ କରି ପଡ଼େ ବକ୍ଷେ ଉଷ୍ଣ ଅଶ୍ରୁଜଳ ।

ନିର୍ବାପିତ ଶୋକଅଗ୍ନି ଉଠେ ହୃଦେ ଜଳି,

ରୁଦ୍ଧ-ଶୋକସ୍ୱରେ ପୁଣି କହେ ଦୁଃଖେ ବାଳୀ;

‘‘ହେ ଦେବ ! ସମର୍ପି ମୋତେ ପିତାଙ୍କ ଚରଣେ

ମୁଦିଲେ ନୟନ ମାତା ଅନ୍ତିମ ଶୟନେ ।

‘ମାଆ ମାଆ’ ବୋଲି ଡାକି କାନ୍ଦିଲି ମୁଁ ଯେତେ,

ନ ଶୁଣିଲେ କର୍ଣ୍ଣେ ଆଉ ନ ଚାହିଁଲେ ମୋତେ ।

ସେ ଦିନୁ ଚିରଅନାଥା ହେଲି ନିରିମାଖି,

ମୋର ଦୁଃଖେ ହେଉଥାନ୍ତି ପିତା ଅତି ଦୁଃଖୀ ।

ମୋ ଅଲକ୍ଷ୍ୟେ କରୁଥାନ୍ତି ଅଶ୍ରୁ ବିସର୍ଜନ,

ଅବିରତ ଶୋକେ ନଷ୍ଟ ଆରେକ ନୟନ ।

ପଥ ପ୍ରଦର୍ଶିକାରୂପେ ଅନ୍ଧ ପିତାଙ୍କର

ସଙ୍ଗେ ଭିକ୍ଷା କରିଯାଏଁ ଯଷ୍ଟି ଧରି କର ।

ସାତବର୍ଷ ଦିନୁ ମାତା ଭ୍ରାତାଙ୍କୁ ହରାଇ

ଅଭାଗୀ, ଅନାଥା, ଶୋକସାଗରେ ଭାସଇ ।

ଏତେ ଶୋକ ଦୁଃଖେ ମୋର ଦାରୁଣ ପରାଣ

ନ ଯାଇ ନିର୍ଲ୍ଲଜ ପିଣ୍ଡେ ଅଛି ଅକାରଣ ।’’

ଏତେ କହିଣ ସଜଳ-ଜଳଜ-ନୟନା

ହୋଇଲା ମଉନ, କିବା ଶୋକନାଦୀ ବୀଣା

ହେଲା ଛିନ୍ନତାର, ଆହା ଉଠେ ହାହାକାର

ଅବଳା ହୃଦୟସରେ, ଆକୁଳ ଅନ୍ତର ।

ଯୁବତୀ ଦୁଃଖରେ ଦୁଃଖୀ ହେଲେ ଯୁବରାଜ,

ବନପୂର୍ଣ୍ଣ ହେଲା ଚାରୁ ନୟନ-ସରୋଜ ।

ଆଶ୍ୱାସି ବାଳାରେ ଧୀରେ ବୋଇଲେ ଏସନ,

‘‘ବିଶାଳାକ୍ଷି ! ବୃଥା ଶୋକ କର କି କାରଣ ?

ଏହିଠାରେ ବସି ଯଦି ସହସ୍ର ବରଷ

କରିବ କ୍ରନ୍ଦନ, ଆଉ ଅଛି କି ଗୋ ଆଶ ?

ଆସିବେ କି ଫେରି ତବ ଜନନୀ ସୋଦର ?

ଗଲା ଜୀବନ କି କାହିଁ ଫେରେ ରାମାବର ।

ନିୟତିବଚନ ସଖି, କରିବାକୁ ଆନ

କେ ଜନ୍ମ ଲଭିଛି ବିଶ୍ୱେ ହେବାକୁ ଭାଜନ ?

ଚକ୍ରନେମିକ୍ରମେ ସଦା ହୁଅଇ ଘୂର୍ଣ୍ଣିତ

ଭାଗ୍ୟଚକ୍ର ମାନବର, କେବେ ବା ସପତ-

ଦ୍ୱୀପେ କରେ ଅଧୀଶ୍ୱର, ସ୍ୱର୍ଣ୍ଣଗିରିଚୂଳେ

ରଚେ ରତ୍ନସିଂହାସନ, ଅତଳ ପାତାଳେ

ପକାଏ ପଲକେ, ସେହି ନିୟତି ଶାସନେ

ହୁଏ ପଥର ଫକୀର ଭାଗ୍ୟ ନିଷ୍ପେଷଣେ ।

ଐନ୍ଦ୍ରଜାଲିକ ଯେସନେ କ୍ଷଣକେ ଦେଖାଇ

ଶୋଭାସମ୍ପଦ ବିଭବ, ପଲକେ ହରଇ,

ବାଜୀକରୀ ନିୟତି ଗୋ ତେସନ ଧରାରେ

ଦେଇ ଧନ, ଜନ, ପୁଣି ହରଇ ଅଚିରେ ।

ଅନିତ୍ୟ ଜଗତେ କିଛି ନୁହଇଟି ଚିର,

ଜୀବନ, ଯୌବନ, ଧନ କ୍ଷଣିକ, ଭଙ୍ଗୁର ।

ବୃଥା ଅଶ୍ରୁଜଳେ କିପାଁ ଭାସ ଇନ୍ଦୁମୁଖୀ,

ତବ ଦୁଃଖେ ପ୍ରାଣ ମୋର ଅତିଶୟ ଦୁଃଖୀ ।’’

ବୋଧନ୍ତେ ଏମନ୍ତ ଯୁବା ମଧୁର ବଚନେ,

ବୃଦ୍ଧଙ୍କ ଡାକ ଏକାଳେ ପଶିଲା ଶ୍ରବଣେ ।

ଚକିତେ ଚମକ ଚିତ୍ତେ କହେ ଚନ୍ଦ୍ରାନନୀ,

‘‘ପିତାଙ୍କ ହକରା ଦେବ ! ଦିଅନ୍ତୁ ମେଲାଣି ।

ଏ ଭିକ୍ଷା ଚରଣେ ତବ ଦାନା ଦରିଦ୍ରାର,

କୃପା ରଖିବ ଦାସୀରେ ଉଦାର ଅନ୍ତର ।’’

ବୀରମୁଖେ ଚାହିଁ କହି ପୋତିଲା ତଳକୁ

ଆନନ, ଉତ୍ତରେ ଯୁବା ‘‘ଏକଥା କାହାକୁ

କହ ଅୟି କନକାଙ୍ଗି ! ଦେଖା ଦେଇ ଥରେ

ହୃଦୟ ସହ ଚିତ୍ତକୁ ନେଲ ଧାତିକାରେ ।

ଯାଉଅଛି ଆଜି, କାଲି ଆସିବି ଗୋ ପୁଣି,

ମାତ୍ର ପ୍ରାଣ ବନ୍ଧା ସିନା ରହିଲା ସଜନି ।’’

ନୀରବ ବାଣୀ, ନୀରବ ଚାହାଣୀ ବାଳାର

ନୀରବେ ପ୍ରତିଉତ୍ତରି ହେଲା ଅଗ୍ରସର ।

ଖଣ୍ଡେ ଦୂର ଯାଇ ଖେଳାଖଞ୍ଜରୀଟଦୃଶା

ଫେରି ଚାହିଁଲା ପଛକୁ, ହୋଇଲା ଅଦୃଶା ।

ଲୁଚଇ ବିଜୁଳି ଯଥା ଘନ ଅନ୍ତରାଳେ,

ଲୁଚିଲା ମହୀବିଜୁଳି ବନ ଅନ୍ତରାଳେ ।

ଚାହିଁଥିଲେ ଯୁବାମଣି ପଲକବିହୀନ,

ଅଦୃଶ୍ୟ ହୁଅନ୍ତେ ବାମା ବୀରଙ୍କ ନୟନ

ଫେରିଲା ସେ ଦିଗୁଁ, ଦୀର୍ଘଶ୍ୱାସ ତେଜି ବୀର

ଫେରିଲେ ନଗରେ ଚଢ଼ି ତୁରଙ୍ଗ ଉପର ।

ଯୁବକ ହୃଦତନ୍ତ୍ରୀରେ କରୁଣ ଝଙ୍କାରେ

ବାଜେ ବିଜଳାର ଶୋକ-କାହାଣୀ ମଧୁରେ ।

ଗୁଣି ଗୁଣି ତରୁଣୀର ବାଣୀ ବୀଣାସ୍ୱର,

ଗମ୍ଭୀରୁ ଗମ୍ଭୀରତର ଦିଶନ୍ତି କୁମାର ।

ସଧୀର କଦମେ ବାଜୀ ବହି ବୀରବରେ

ନଗରେ ପ୍ରବିଷ୍ଟ ହେଲା, ଅସ୍ତଗିରି ଶିରେ ।

ବୁଡ଼ିଲେ ତପନ, ରଙ୍ଗବସନା ସୁନ୍ଦରୀ

ବାରୁଣୀରାଣୀ ବନ୍ଦାଇ ନେଲା କୋଳ କରି ।

 

ଦ୍ୱିତୀୟ ସର୍ଗ

 

ମଧୁର ଶରତ, ଶ୍ୟାମ ଘନବନଚ୍ଛବି,

ଅପରୂପେ ସାଜିଛନ୍ତି ଯାହା ଦେବ ରବି ।

ଅପରାହ୍ଣ ସମୀରଣ ମୃଦୁଳ ମଧର

ବହେ, ପତ୍ରେ ପତ୍ର ବାଜି ଶୁଭେ ସରସର ।

ନାନାଜାତି ବିହଙ୍ଗର ସୁଲଳିତ ଗାନ

କାକଳିକଲ୍ଲୋଳେ ପୂରେ ସେ ରମ୍ୟକାନନ ।

ଲହରେ ଲହରେ ପୁଷ୍ପ ସଉରଭରାଶି

ଭାସି ବନାନିଳେ ନୀଳନଭେ ଯାଏ ମିଶି ।

ବନଫୁଲ ପରାଗ ମୁଖରେ ହୋଇ ବୋଳି

ଗୁଣୁ ଗୁଣୁ ଗୀତ ଗାଇ ଉଡ଼ୁଥାନ୍ତି ଅଳି ।

ଝିଙ୍କାରୀଝଙ୍କାର ନାଦେ ନିନାଦିତ ବନ,

ରହି ରହି ଶୁଭେ କେବେ ଗୁଣ୍ଡୁଚିର ସ୍ୱନ ।

ମୁନିମନସମ ଆହା ପ୍ରସନ୍ନ ନିର୍ମ୍ମଳ,

ସଧୀରେ ବହେ ଜରାଳୀ ତରଳ ସଲିଳ ।

ହଂସ ହଂସୀ ସୁଖେ କରୁଥାନ୍ତି ସନ୍ତରଣ,

ପ୍ରତିକୂଳ ସ୍ରୋତେ, ଅନୁକୂଳ ସମୀରଣ

ଖେଳାଏ କି ରଙ୍ଗେ ! ଯଥା ଶ୍ୱେତ ଶତଦଳ

ସନାଳ ଦୋହଲି ଖେଳ ଦିଶଇ ମଞ୍ଜୁଳ ।

ଝଲସେ ମାର୍ତ୍ତଣ୍ଡକରେ ବନରାଜିଲୀଳା,

କାହିଁ କରେ ଚାରୁଚିତ୍ର ଇନ୍ଦ୍ରଧନୁ ଖେଳା ।

କାଳିନ୍ଦୀକୂଳ-କାନନେ ଶ୍ୟାମ ବନମାଳୀ

ବିରସ ମନେ କିଶୋରୀ ଆଗମନ ଭାଳି

ବିଶାଳଶିଳା ଉତ୍ସଙ୍ଗେ ବସିଣ ଦ୍ୱାପରେ

ଚାହିଁଥିଲେ ପଥପାନେ, ମଞ୍ଜୁଳ କୁଞ୍ଜରେ

ଯେମନ୍ତ, ତେମନ୍ତ ଆଜି ତରୁଣମଉଳି

ଯୁବରାଜ ବୀରେନ୍ଦ୍ରକୁମାର କିବା ଭାଳି

ବିଜଳା ପ୍ରିୟପଥର ଉପରେ ବସିଣ

ଚାହିଁଛନ୍ତି ପଥପାନେ ଉଦ୍ବିଗ୍ନନୟନ ।

କାନନ-ପ୍ରକୃତିରାଣୀ କୋଟିଚିତ୍ର କମ

ନ ଦେଖେ, ନ ଶୁଣେ କାନେ କର୍ଣ୍ଣରସାୟନ

ବନବନ୍ଦୀ ବନ୍ଦିନୀର ବନ୍ଦନା ସୁସ୍ୱନ,

ସୁରଭି ମଳୟ ମୋହି ନାହିଁ ବୀରମନ ।

ପ୍ରେମମନ୍ତ୍ରମୁଗ୍ଧମତି ପ୍ରେମମୁଗ୍ଧ ପ୍ରାଣ,

ବିଜଳା ଆଗମନପଥ କରିଅଛି ଧ୍ୟାନ ।

ଯୁବା ଆଗେ ଉଭା ହେଲା ଆସିଣ-ସହସା

ବିଜଳା ରୂପଈଶ୍ୱରୀ ନାରୀଶିରୋଭୂଷା ।

କକ୍ଷେ ଶନ୍ୟକୁମ୍ଭ, ବିମୁକ୍ତ କୁନ୍ତଳରାଶି,

ଦରହାସ-ସୁଧା ଉଦ୍ଗାରେ ଶ୍ରୀମୁଖ-ଶଶୀ ।

ସଲାଜମୁଖୀ କଳସୀ ଭୂମିତଳେ ରଖି

ରହିଲା ନୀରବେ ବାଳା ରାଜବଳା ଦେଖି ।

ସମ୍ଭାଷି ସାଦରେ ବୀର ବୋଇଲେ ମଧୁରେ,

‘‘ଆସିଲିଣି ବହୁକ୍ଷଣୁ ତବ ଅପେକ୍ଷାରେ ।

ସୁନ୍ଦରୀ ! ବିଶ୍ରମ ବସି ପାଶରେ ମୋହର,

ମନ ଚୋରି କରି କେଣେ ଯିବ ରାମାବର ।

କାଲି ନେତ୍ରେ ଦେଖିଲା ବେଳରୁ ମୁଖଚାରୁ

ମୁହୂର୍ତ୍ତେ ପାସୋରି ମୋର ନ ଯାଏ ମନରୁ ।

ପୁଷ୍ପଧନୁ ପୁଷ୍ପଶର ଆଘାତେ ନବୀନା !

ହୃଦ-ଧୈର୍ଯ୍ୟଭିତ୍ତି ମୋର କରିଅଛ ଚୂନା ।

ଆସ ବାହୁପାଶେ ମୋତେ ବାନ୍ଧ ଚାରୁହାସୀ,

ସନ୍ତାପସଲିଳେ ସଖି ଯାଉଅଛି ଭାସି ।’’

ଏତେ କହି ଆଲିଙ୍ଗନ ଆଶୟେ ଅଧୀର,

ବାହୁ ବିସ୍ତାରିଲେ ଅଗ୍ରସରି ବୀରବର ।

ବୀରମଣିବାଣୀ ଶୁଣି ବିଜଳା ହୃଦୟ

ଲଜ୍ଜା ଭୟେ ହେଉଥିଲା ଅତ୍ୟନ୍ତ ଅଥୟ ।

ବିବେକ ସଙ୍ଗେ ପ୍ରେମର ଘୋରତର ରଣ

ହୁଏ ବାଳା ହୃଦକ୍ଷେତ୍ରେ, କମ୍ପିତ ପରାଣ ।

କେବେ ହାରଇ ବିବେକ, ପ୍ରେମ ହୁଏ ଜୟୀ,

ଉତପ୍ଳୁତପାଣେ ଆହା ଥରେ ପ୍ରେମମୟୀ ।

କଷ୍ଟେ ପରାଜିଲା ବିଶ୍ୱବିଜୟୀ ପ୍ରେମକୁ,

ବିଜୟୀ ହେଲା ବିବେକ ଦଇବବଳକୁ ।

କୁମାରର ରୀତି ଦେଖି କନକଗଉରୀ

ଚାରୁ ନେତ୍ର-ଇନ୍ଦୀବର ନୀରପୂର୍ଣ୍ଣ କରି

ନତଜାନୁ ବାମା ବସି ଯୁବା ପଦତଳେ

କାତର-କମ୍ପିତକଣ୍ଠେ କହିଲା ବିକଳେ,

‘‘ହେ ରାଜକୁମାର ! ନୀତିଶାସ୍ତ୍ର ଅବିଦିତ

ନାହିଁ ତବ, ମାତ୍ର ଏହି ବଚନ ଅମୃତ

ତପ୍ତ ମଧୁଧାରାସମ ହୃଦେ ଅଭାଗୀର

ଢାଳିଲ, ଚିରତୃଷାର୍ତ୍ତୀ ମୁଖେ ଉଷ୍ଣ ନୀର ।

ଭାବି ଦେଖ ଦିବ୍ୟନେତ୍ରେ-ଦୁହିତା ଉପର

ପୂର୍ଣ୍ଣ ଅଧିକାର ସିନା ଥାଏ ଜନକର ।

ସେ ପିତା ଅଜ୍ଞାତେ ମୋର ଦୀନହୀନ ପ୍ରାଣ

କେମନ୍ତେ ତବ ଚରଣେ କରିବି ଅର୍ପଣ ?

ପଥଭିକାରୁଣୀ ସତ୍ୟ, ଆଜନ୍ମ-ଦୁଃଖିନୀ,

ଚିରହତଭାଗୀ, କିନ୍ତୁ ସ୍ୱଇଚ୍ଛାଚାରିଣୀ

କରି ନାହାନ୍ତି ବିଧାତା, ଭୟ ହୁଏ ପ୍ରାଣେ;

ଲାଜକୁଳୀ ଲତା କିବା କର ପରଶନେ ।

ଅରପିବ ଯେବେ ଦାସୀ ହୃଦୟେ ହୃଦୟ,

ନ ରହିବ ଗୁପ୍ତ, କାଳେ ଗୋପନ ପ୍ରଣୟ

ଜନ ଶତମୁଖେ ଫୁଟି ବାହାରିବ ବଳେ,

ଶତ ପ୍ରସ୍ତ ବସ୍ତ୍ରେ ଯଥା ଅନଳ କୁହୁଳେ ।

ଘୃଣିତ ଜୀବନେ ଦେବ ! କିବା ପ୍ରୟୋଜନ,

ତହୁଁ ଶତଗୁଣେ ଶ୍ରେୟ ଏପଦେ ମରଣ ।

ଅଧିକ କି ଭାଗ୍ୟ ? ତୁଚ୍ଛ ଗୁପ୍ତପ୍ରେମ ଭ୍ରମେ

ନ ବୁଡ଼ିବି ମୁଁ କଳଙ୍କପଙ୍କେ ଅକାରଣେ ।

ଦୟା କରି କହ ମୋର ଜନକଛାମୁରେ

ପଡ଼ୁଅଛି ପାଦତଳେ କ୍ଷମ ଅବଳାରେ ।’’

ପଡ଼ିଲା ପୟରେ ଅଶ୍ରୁ-ମୁକୁତାମାଳିନୀ,

ଲୋଟେ କିବା ବୃନ୍ତଚ୍ୟୁତ ହେମ-କମଳିନୀ,

ଶିଶିରନିଷିକ୍ତା ଧନୀ ଭାନୁପଦତଳେ,

ଧରିଲେ ସାଦରେ ବୀର ତା କରକମଳେ ।

ତୋଳି ଭୂତଳୁ ବୋଇଲେ, ‘‘ଉଠ ପିକଭାଷି !

ବୃଥା ଭୟସ୍ରୋତେ କିପାଁ ଯାଉଅଛି ଭାସି ।

ଯା କହିଲ ସତ୍ୟ ସଖି ! ବଚନ ତୁମ୍ଭର

ଶୁଣି ଆନନ୍ଦିତ ହେଲା ଅନ୍ତର ମୋହର ।

ଆସ ଶଶିମୁଖି । ଯହିଁ ମାଳବନରେଶ,

ଯିବା ତହିଁ, ପୁରାଇବେ ସେ ଆମ୍ଭର ଆଶ ।

ମାତ୍ର ଏହା ଧ୍ରୁବ ଜାଣିଥିବୁ ଚନ୍ଦ୍ରାନନା,

ଜୀବନ ମୋର ବିଫଳ ହେବ ତୋହ ବିନା ।

ଆଚରଣ ବ୍ରହ୍ମଚର୍ଯ୍ୟ, ପାଳନ କରିବି

ଚିରକୌମାର୍ଯ୍ୟ, ନିରାଶ ହୃଦ ଯେବେ ହେବି ।

ଯୁବାବାଣୀ ଶୁଣି ବୀମା ଉଠିଲା ସଧୀରେ,

କର ସଂସ୍ପରଶେ ତନୁଲତା ମୃଦୁ ଥରେ ।

ଚଳିଲେ ଉଭୟେ, ବସିଛନ୍ତି ପୁରଞ୍ଜୟ,

ଦୁହିତା ବିଳମ୍ବ ଦେଖି ଚିନ୍ତିତ ହୃଦୟ ।

ପାଦଶବ୍ଦ ଶୁଣି କର୍ଣ୍ଣେ କହିଲେ ମଧୁର,

‘‘ଆଜି ଏତେ ବିଳମ୍ବ କିପାଇଁ ମାଆ ମୋର ।

ଏକମାତ୍ର ପରାଣସଙ୍ଖାଳି ମୋର ତୁହି,

ଲବେ ଅଦର୍ଶନେ ଆକୁଳିତ ହୁଏ ମୁହିଁ ।

ଜାଣି ନାହୁଁ କିଲୋ ମାଆ ! କରୁ ତୁ ଉଛୁର ?

ତୁନି ରହିଲୁ କାହିଁକି ? ଶୁଣି ବୃଦ୍ଧଗିର

ସଲାଜେ ବିଜଳା ଲୁଚି ହୋଇଅଛି ଉଭା,

ଅଗ୍ରସରି ସମ୍ମୁଖେ ବୋଇଲେ ଧୀରେ ଯୁବା ।

‘‘ନୋହେ ମୁଁ ବିଜଳା ତବ, ଘେନନ୍ତୁ ପ୍ରଣାମ,

ହରିପୁର ଯୁବରାଜ ବୀରେନ୍ଦ୍ର ମୋ ନାମ ।’’

ନିବେଦି ବସିବାପାଇଁ ଆଗମ କାରଣ,

ପୁଚ୍ଛନ୍ତେ ବିନୟେ, କହେ ନରେନ୍ଦ୍ରନନ୍ଦନ,

‘‘ହେ ଦେବ ! ପ୍ରାର୍ଥନା କିଛି ଥିବାରୁ ମୋହର,

ଆସିଥିଲି ଆଜି ଏହି କୁଟୀରେ ତୁମ୍ଭର ।’’

ବିସ୍ମୟେ ବୋଇଲେ ବୃଦ୍ଧ, ‘‘ନୃପତିନନ୍ଦନ

ଅଟ ତୁମ୍ଭେ, ମୁହିଁ ଦୀନ ହୀନ ଅକିଞ୍ଚନ ।

କି ଆଦେଶ ଆଜି ତବ ଏ ଦୀନ ଦୁଃଖୀରେ ?

ରାଜଆଜ୍ଞାରେ ପରାଣ ଅରପି ମୁଁ ପାରେ ’’

ଶୁଣି ବୀରେନ୍ଦ୍ରକୁମାର ଭାବ ମନୋଗତ

ଅକପଟହୃଦେ ସର୍ବ କରିଲେ ବ୍ୟକତ ।

ଯୁବାବାଣୀ ଶୁଣି ମୁଖ ଦିଶିଲା ପ୍ରସନ୍ନ,

ପଲକେ ପଲକେ ଚିନ୍ତା ସୁବିଷାଦ-ଘନ

ଢାଙ୍କିଲା ହୃଦଆକାଶ, ତେଜି ଦୀର୍ଘଶ୍ୱାସ,

ସଧୀରେ ବୋଇଲେ ବୀରେ, ‘‘ଅତି ଅବିଶ୍ୱାସ

ଲାଗଇ ଶ୍ରବଣେ, ତୁମ୍ଭେ ନରପତିଙ୍କର

ଏକଇ କୁମାର ସର୍ବ ଆଦରର ସାର ।

ଭିକାରୀଦୁହିତା ଦୀନା ହୀନା ଭିକାରୁଣୀ,

ସେ କି ହେବ ତବ ଯୋଗ୍ୟା ଜୀବନସଙ୍ଗିନୀ ?

ଶୁଣି କି କହିବେ ତବ ଜନନୀ ପିଅର

ତବ ବାଣୀ ବିଶ୍ୱାସି ନ ପାରେ ବୀରବର ।

ଅଜ୍ଞାତ କୁଳଶୀଳାରେ କରିଲେ ବରଣ

ଅନ୍ତରେ ବହିବେ ଖେଦ ମୟୂରରାଜନ ।

ନାହିଁ ମୋ ଆପତ୍ତି, ମାତ୍ର’’-ଯୁବା ବାଧା ଦେଲେ

ସେ ବଚନସ୍ରୋତେ, ପୁଣି ବିନୟେ ବୋଇଲେ,

‘‘ପିତାଙ୍କ ଗୋଚରେ କିଛି ନାହିଁ ପ୍ରୟୋଜନ,

ଉତ୍କଳ-ସମ୍ରାଟ ଶ୍ରୀପୁରୁଷୋତ୍ତମ ନାମ,

କାଞ୍ଚି ଘୋରଯୁଦ୍ଧେ ହୋଇଅଛନ୍ତି ପ୍ରବୃତ୍ତ,

ସର୍ବ ଉତ୍କଳୀୟ ନୃପସହ ମୋର ତାତ

ରଣନିମନ୍ତ୍ରଣେ ଦେବ ! ସେ ମହାଆହବେ

ଯାଇଛନ୍ତି, କେ କହିବ ଲେଉଟିବେ କେବେ ?

ଗାନ୍ଧର୍ବବିଧିରେ ଏବେ କରନ୍ତୁ ଅର୍ପଣ,

ପିତାଙ୍କ ସମକ୍ଷେ ପୁଣି କରିବି ଗ୍ରହଣ ।’’

ଏ ପ୍ରସ୍ତାବେ ସନମତ ହେଲେ ପୁରଞ୍ଜୟ,

ସଂକ୍ଷେପେ କୁମାରେ ଦେଲେ ଆତ୍ମପରିଚୟ ।

ଏକାଳେ ବିଜଳା ଜଳକଳସୀ ଘେନିଣ

ଅନ୍ତରାଳୁ ବାହାରି ଆସିଲା ସେହି ସ୍ଥାନ ।

ଶବଦେ ଜାଣି ଜନକ କହିଲେ ବାଳା ରେ

ବାତ୍ସଲ୍ୟପୂରିତପ୍ରାଣେ ଆନନ୍ଦ ଅନ୍ତରେ,

‘‘ବତ୍ସେ ! ଅତିଥି ରେ ଆଜି ଏହି ଯୁବରାଜ

ଆମ୍ଭରି କୁଟୀରେ, ଏଣୁ ଶୁଭଦିନ ଆଜ ।

ଆତିଥ୍ୟସତ୍କାରେ କର ତାଙ୍କ ସମ୍ୱର୍ଦ୍ଧନା,

ସମର୍ପି ଜୀବନ ତୋଷ, ନୋହିଣ ବିମନା ।’’

ସରସୀଜମୁଖୀ ଲାଜେ ନ ଦେଲା ଉତ୍ତର,

ସରମ ହରଷେ ତନୁ ଥରେ ଥର ଥର ।

ଲାଜପାଟଳକପୋଳା, କମଳ ଆନନେ

ଅନୁରାଗ ପ୍ରକଟିତ, ଦେଖି ତୋଷମନେ

ଲୋହିତ ସାଗରେ କିବା ବୁଡ଼ିଲେ ତପନ

ଲୋହିତକରେ ଝଳାଇ ପଶ୍ଚିମ ଗଗନ ।

ଜରାଳୀର କୂଳେ କୋକବଧୂ ଦୁଃଖମନେ

ବିଦାୟବ୍ୟଥିତ ହୃଦେ ପ୍ରିୟତମ ପାନେ

ଚାହିଁ ବିକଳେ ବାହୁନି ମାଗଇ ମେଲାଣି,

ରବିପାନେ ନିରାଶେ ଲେଉଟି ଚାହେଁ ପୁଣି ।

ଘନ ବନକୋଳୁ ବିଜେ ହେଲେ ସନ୍ଧ୍ୟାରାଣୀ,

ତାମସୀ ଛାୟା ଢାଙ୍କିଲା ଆକାଶ ଅବନୀ ।

ଗୋଟି ଗୋଟି ଫୁଟି ତାରା ସୁନୀଳ ଗଗନେ

ବିଧୁ ବନ୍ଦାପନା ଆଶେ ଦେବବାଳାଗଣେ

ଜାଳିଲେ ଉଜ୍ଜ୍ୱଳମୟୀ ହେମ ଦୀପମାଳା,

ଜରାଳୀନୀରେ ଖେଳିଲା ପ୍ରତିବିମ୍ୱମାଳା ।

ରଜନୀ ଆଗତ ଦେଖି ବୀରେନ୍ଦ୍ରକୁମାର

ନେଲେ ମେଲାଣି ବୃଦ୍ଧଙ୍କୁ କରି ନମସ୍କାର ।

ବୋଇଲେ ମାଳବଭୂପ, ‘‘ବାବୁ, ବାପଧନ,

କରୁଥିବ ଏ ଦୀନ କୁଟୀରେ ପଦାର୍ପଣ ।

ନିରାଶମରୁରେ ବତ୍ସ ! ତବ ଦରଶନେ

ଆଶାପୂତ ମନ୍ଦାକିନୀ ବହିଲା ପରାଣେ ।’’

‘‘ଯାଉଛି ମୁଁ ପାସୋରିବ ନାହିଁ ରାମାବର !

ଆଜିର ବିଦାୟ ଦିଅ ଯିବି ମୁଁ ନଗର ।’’

ବାମା କରକମଳ ଧରିଣ ବୀରମଣି

କହନ୍ତେ ଏମନ୍ତ, ଭୂମି ଚାହିଁ ଏଣୀକ୍ଷଣୀ

କହିଲା କାତରକଣ୍ଠେ କୋକିଳବଚନା,

‘‘କାଲି ଆସିବ, ଚରଣେ ଏତିକି ପ୍ରାର୍ଥନା ।’’

‘ହେଉ’ କହି ବାହୁଡ଼ିଲେ ପୁରେ ବୀରବର,

କ୍ରମେ ହେଲେ ସେ ଅଦୃଶ୍ୟ ନେତ୍ରୁ ବିଜଳାର ।

Image

 

ତୃତୀୟ ସର୍ଗ

 

ନବୀନାମଣି ନବୀନ ଗାନ୍ଧର୍ବବିଧିରେ

ବିଭା ସମ୍ପାଦିଲେ ପ୍ରେମ-କୁସୁମମାଳାରେ ।

କାନନ ଭ୍ରମଣଛଳେ ନିତି ଯୁବାମଣି

ଆସନ୍ତି, ଆଗମନପଥ ଚାହିଁ ଚନ୍ଦ୍ରାନନୀ

ବସିଥାଏ, ସେ ବିଜନ ବିପିନେ ଏକାକୀ,

କାନ୍ତ ଦରଶନ ଆଶେ ଯଥା ସୂର୍ଯ୍ୟମୁଖୀ ।

ଦିନୁ ଦିନ ପୀରତି ବଢ଼ିଲା ବେନିଙ୍କର,

ହେଲେ ଅଭିନ୍ନପରାଣ ଯେହ୍ନେ କ୍ଷୀର ନୀର ।

ଘନ ମଞ୍ଜୁଳ କାନନେ ପ୍ରଦୋଷବିହାର,

କୁଞ୍ଜବନେ ଯଥା ରାଧାସଙ୍ଗେ ମାଧବର ।

ବନକୁସୁମରେ ରଚି ଭୂଷଣ ସୁନ୍ଦର

ସଜାଏ ଶୋଭାଙ୍ଗୀ ତନୁ ରସିକପ୍ରବର ।

କେବେ ନବପଲ୍ଲବ ତଳପ ପରେ ବସି

କାନ୍ତସଙ୍ଗେ ପଶାଖେଳ ଖେଳେ ଚାରୁହାସୀ ।

ଛଳେ ନବବାଳୀ କେବେ ଲତା ଅନ୍ତରାଳେ

ଲୁଚନ୍ତେ, ଡାକଇ ଯୁବା ବିରହ ବ୍ୟାକୁଳେ ।

ବନବିହାରିଣୀ ହରିଣୀସମ ସହସା

ମନ୍ଦେ ହସି ଦିଏ ଦେଖା ସରସୀଜଦୃଶା ।

କାତରମୁଖେ ଯୋଡ଼ିଣ କୋକନଦ କର

କହେ କାନ୍ତେ ଚାହିଁ, ‘‘ମୋର ଦୋଷ କ୍ଷମା କର ।’’

ବଜାନ୍ତେ କୁମାର କେବେ ବୀଣାସପ୍ତସ୍ୱରା,

ବାଣୀ ବୀଣାନିନ୍ଦିସ୍ୱରେ ଗାଏ ଜବାଧରା ।

ପ୍ରେମ ଉଚ୍ଛ୍ୱସିତ ମନେ କ୍ଷଣେ କ୍ଷଣେ ରହି

ଗାଏ ଯୁବା, ସୁଧାତାନେ ସ୍ୱତାନ ମିଶାଇ ।

ପତ୍ରେ ପୁଷ୍ପେ ସାଜି କେବେ ସୁଚାରୁ ତରଣୀ

ଭସାନ୍ତି ତଟିନୀ ନୀରେ, ଯେମନ୍ତେ ହଂସିନୀ

ନାଚେ ସଲିଳ ହିଲ୍ଲୋଳେ ସଙ୍ଗୀତର ତାଳେ

ଜଳକ୍ରୀଡ଼ା କରନ୍ତି ବେନିଏ କୁତୂହଳେ ।

ନାନା କଉତୁକେ ନାନା କ୍ରୀଡ଼ାମୋଦେ ମାତି

କାଟୁଥିଲେ ଦିନ ସୁଖେ ସେ ନବଦମ୍ପତି ।

ଦିନୁଁ ଦିନ ନବ ପ୍ରୀତି ବଢ଼ିଲା ବେନିର,

ହୃଦ ଏକାକାର କିବା ନଦୀ-ପାରାବାର ।

ଯୁବତୀ-ମନ-ଉଦ୍ୟାନେ ଫୁଟେ ଯେ ସୁମନ,

ଯୁବା-ହୃଦ-ଦରପଣେ ବିମ୍ୱଇ ତକ୍ଷଣ ।

ପ୍ରେମତଟିନୀ ନବୀନା, ଯୁବା ପ୍ରେମସିନ୍ଧୁ,

ବାମା ପ୍ରଣୟ-ପଦ୍ମିନୀ, ପୁଂସ ଦୀନବନ୍ଧୁ ।

ଯୌବନ ଉଦ୍ୟାନେ ବାଳା ପୀରତି-ସୁମନ,

ଯୁବାମଉଳି ତହିଁକି ବସନ୍ତରାଜନ ।

ପ୍ରେମାକାଶେ ନବ-ପୂର୍ଣ୍ଣ ସୁଧାଂଶୁ କୁମାର,

ଚାରୁଚନ୍ଦ୍ର ଆନନୀ ଚନ୍ଦ୍ରିକା ମନୋହର ।

ପ୍ରେମକାନନ-କୁରଙ୍ଗ-କୁରଙ୍ଗିନୀ ସମ,

କରନ୍ତି କାନନେ ନାନା କ୍ରୀଡ଼ା ମନୋରମ ।

ବେନିଙ୍କ ଆନନ କରିବାରେ କି ଦର୍ଶନ,

ବେନିଙ୍କ ନୟନ ବିଧି କରିଲା ସୃଜନ ।

ବେନିଙ୍କ ଭାବ ଭାବନେ ବେନିଙ୍କ ହୃଦୟ

ଅବିରତ ହୋଇଥିଲା କି ଅବା ତନ୍ମୟ ।

ନବ ପଲ୍ଲବେ ବିରଚି ନବୀନ କୁଟୀର

କରନ୍ତି ବିହାର ତହିଁ କିଶୋରୀ କିଶୋର ।

କେବେ ଅବା ଯାଏ ଯୁବା ଆପଣା ନଗରେ,

କେବେ ପୁହାଏ ଯାମିନୀ ସେ ସ୍ୱର୍ଗ-କୁଟୀରେ ।

ମୁହୂର୍ତ୍ତ ବିଚ୍ଛେଦ କୋଟି ଯୁଗ ମଣୁଥାନ୍ତି,

ବେନିଙ୍କ ହୃଦ ବେନିକି ଛାଡ଼ି ନ ପାରନ୍ତି ।

ଦିନେ ବାରିଜାକ୍ଷୀ ସେହି ବିଜନ କୁଟୀରେ

ପ୍ରିୟତମ ଆଗମନ ଆଶାରେ ଅଧୀରେ

ବସିଅଛି ବରାଙ୍ଗୀ ବିରହାକୁଳ ପ୍ରାଣେ,

ଦୀର୍ଘଶ୍ୱାସ ତେଜି ଯୋଷା ଭାବେ ମନେ ମନେ ।

‘‘କାହିଁଅଛ ନାଥ ! ମୋର ହୃଦାକାଶ-ଶଶୀ,

ବୁଡ଼ିଲେଣି ଦିନମଣି ନିଶି ହେଲା ଆସି,

‘ଏକ୍ଷଣି ଆସିବି’ କହି କିଆଁ ଏଡ଼େ ମଠ

କଲ ପ୍ରାଣେଶ ! କି ବଣା ହେଲ ଆଜି ବାଟ ?’’

ଅମଙ୍ଗଳ ଆଶଙ୍କାରେ ଆଶଙ୍କିତା ଧନୀ,

ଅଞ୍ଚଳେ ପୋଛିଲା ଅଶ୍ରୁବାରି ସୁଲୋଚନୀ ।

କୁଟୀରୁ ବାହାରି ଭ୍ରମେ କୁସୁମିତ ବନେ,

ଆହତ କୁରଙ୍ଗୀ କାନ୍ତବିହୀନେ ଯେସନେ ।

ବିଚ୍ଛେଦ-ବିରହଜରେ ଅତନୁର ଶରେ-

ଜରଜରପ୍ରାଣେ ବାଳା ଭାସେ ଆଖିନୀରେ ।

ଫୁଲ୍ଲ ଜ୍ୟୋତ୍ସ୍ନା ଆଲୋକିତ ସେ ଚାରୁ କାନନେ

କୁମାର ସହ ବିହାର ପଡ଼େ ବାମା ମନେ ।

ବିଭ୍ରମ ଉତ୍କଣ୍ଠାଭରେ ଉନ୍ମାଦିନୀ ପରା

ତୋଳେ ଫୁଲରାଜି କାନ୍ତେ ସଜାଇବ ପରା ।

କେତେ କୁସୁମେ ରଞ୍ଜିଲା ବର୍ଷି ଅଶ୍ରୁବିନ୍ଦୁ,

ନୀହାର ସୁହାର କିବା ଚାରୁ ମୋତିବିନ୍ଦୁ ।

କି ଭାବିଲା, ପଥପାନେ ଚାହିଁ ବିଷାଦିନୀ

ଛିଣ୍ଡାଇ ଫିଙ୍ଗିଲା ନୀଳେନ୍ଦୀବର-ନୟନୀ ।

ସମ୍ମୁଖେ ଦେଖିଲା କାନ୍ତ ଶ୍ରୀକରରୋପିତ

ଉଦ୍ୟାନୁ ଆନୀତ ବୃକ୍ଷଚୟ କୁସୁମିତ ।

ସମଦୁଃଖଭାଗିନୀ ଦୁଃଖିନୀ ସୂର୍ଯ୍ୟମୁଖୀ

ପାଶେ ପ୍ରବେଶି ସଧୀରେ କହେ ଶଶିମୁଖୀ-

‘‘ବିଲୁଳିତ ଭାବ ତୋର କାହିଁକି ଲୋ ଧନୀ,

ଆସିବେ ପ୍ରାଣେଶ ତବ ପାହିଲେ ଯାମିନୀ ।

ମୁହିଁ ଲୋ ଚିରଦୁଃଖିନୀ ଚିରଅଭାଗିନୀ,

ପାସୋରି ଦେଲେଣି ମୋର ପ୍ରାଣସ୍ପର୍ଶମଣି ।

କେଉଁ ରସବତୀ ରସସାଗରେ ମଜ୍ଜିଲେ,

ତେଣୁ ଆଜନ୍ମଦୁଃଖିନୀ ମନୁ ଭୁଲିଗଲେ ।

କହି ଯାଇଥାନ୍ତି, ସେହି କଣ୍ଟ ଅନୁସରି

ଆସନ୍ତି ଲୋ ଦିନେ ଆନ ନ ହୁଏ ତାଙ୍କରି ।

ଆଜି କି ମନେ ବିଚାରି ଚରଣଜଡ଼ିତା

ଆଶ୍ରିତା ଲତାକୁ ପାଦେ କଲେ ବିଦଳିତା ।’’

ବିଳାପେ ବିବଶା ବାମା ଭ୍ରମେ ଏକାକିନୀ,

ଭୀତିଭୟଶୂନ୍ୟମନା ଯେହ୍ନେ ଉନ୍ମାଦିନୀ ।

ସୁଧାକରକରେ ଝଳେ ପାଦପବଲ୍ଲରୀ,

ଝରଇ ତୁଷାରବିନ୍ଦୁ ଝର ଝର କରି ।

ସୁଗନ୍ଧବାହୀ ସମୀର ବହେ ଧୀରେ ଧୀରେ,

ସଜ କୁସୁମ ସୁବାସ ଲହରେ ପହଁରେ ।

ନୀରବ ରଜନୀ, ଚନ୍ଦ୍ର ହସନ୍ତି ନୀରବେ,

ମାୟାମନ୍ତ୍ରମୁଗ୍ଧ ଜୀବେ ନିରେଖି କି ଭବେ ।

ସୁହାସିନୀ ଯାମିନୀର ନୂପୁରଝଙ୍କାର

ସମ ନିନାଦିତ ମାତ୍ର ଝଙ୍କରିଝଙ୍କାର ।

ଗଉର ବିଭାସେ ହସେ ଚାରୁ ବନରାଣୀ,

ଗଉର ବସନେ କିବା ସାଜି ତପସ୍ୱିନୀ,

ଯୋଗମଗ୍ନା ଯୋଗିନୀ ପରାୟେ ଊର୍ଦ୍ଧ୍ୱମୁଖେ,

ଚାହିଁଛି ନୀରବେ କାନ୍ତେ ପ୍ରାଣଭରା ସୁଖେ ।

ସୁପ୍ତ ବୃଦ୍ଧ ପୁରଞ୍ଜୟ ଆପଣା କୁଟୀରେ

ଦୁହିତା ବିରହବ୍ୟଥା ନ ଜାଣନ୍ତି ଥରେ ।

ଭ୍ରମି ଭ୍ରମି ନିଶି ଆସି ହେଲାଣି ପାହାନ୍ତି,

ପିତୃପଦପ୍ରାନ୍ତେ ଶ୍ରମେ ବସେ କୁନ୍ଦଦନ୍ତୀ ।

ଉନ୍ନିଦ୍ର, ଶୋକେ ଲୋହିତ ନେତ୍ରଇନ୍ଦୀବର,

ସୁକୁମାରୀ ଆନନୁ ବହଇ ସ୍ୱେଦନୀର ।

ନିଶାନ୍ତ ପବନ ଧୀରେ ଦୟାର୍ଦ୍ରଚିତ୍ତରେ

ବିଞ୍ଚିଲା କୁଞ୍ଚିତକେଶୀ ଦୁଃଖେ ଦୁଃଖିତରେ ।

ବନରାଣୀ ଅଞ୍ଚଳଚାଳିତ ଶୀତବାତେ

ସୁତନ୍ୱୀ ତନୁରୁ ଶ୍ରମ ହରିଲା କିଞ୍ଚିତେ ।

ତନ୍ଦ୍ରାବେଶେ ଚନ୍ଦ୍ରାନନୀ ମୁଦିଲା ନୟନ,

ଧରାରେ କନକଝରା କରିଲା ଶୟନ ।

ସ୍ୱପନେ ଦେଖେ ଶୋଭାଙ୍ଗୀ ବୀରେନ୍ଦ୍ରକୁମାର

ସଙ୍ଗେ ବସିଅଛି ସ୍ୱର୍ଣ୍ଣସିଂହାସନପର ।

ଶ୍ୱେତ ରାଜପରିଚ୍ଛଦେ ଆବରି ବରାଙ୍ଗ

ମଣିମୟ ଭୂଷଣରେ ବିଭୂଷିତ ଅଙ୍ଗ ।

ଶ୍ୱେତ ଶତଦଳ ବୀରବକ୍ଷେ ଦୋଳାୟିତ,

ଆଭାମୟ ମଣି ମୁକୁଟେ ଶିର ଶୋଭିତ ।

କୁଙ୍କୁମ ଲେପିତା, ସୀମନ୍ତେ ସିନ୍ଦୂର ଗାର,

ଚରଣେ ଅଲକ୍ତ, ପିନ୍ଧି ହରିତ ଅମ୍ୱର,

ବସିଅଛି ବାମେତରେ, ଶ୍ୱେତ ରାଜଛତ୍ର

ଟେକା ହୋଇଅଛି ନେତ୍ର କରେ ଝଲସିତ ।

କନକାଙ୍ଗୀ ଅଙ୍ଗନାଏ ଧବଳ ଚାମର

ଢାଳନ୍ତି, କରନ୍ତି ନୃତ୍ୟ ବାରନାରୀବର ।

ବୈଦିକ ବ୍ରାହ୍ମଣେ ପଢ଼ି ଶ୍ଳୋକ ସୁଗମ୍ଭୀର

ଢାଳନ୍ତି ଶିରେ କନକକୁମ୍ଭେ ମନ୍ତ୍ରନୀର ।

ଏମନ୍ତ ସମୟେ ସୁଖସ୍ୱପ୍ନ ଭାଙ୍ଗିଗଲା,

ଚମକଚିତ୍ତେ ଚିଆଁଇ ଉଠିଲା ବିଜଳା ।

ଦେଖିଲା ପ୍ରାଚୀ ତୋରଣ ହାସ୍ୟମୁଖୀ ଉଷା

ଚାରୁ କରସ୍ପର୍ଶେ ମୁକ୍ତ କରିଲେ ସହସା ।

ମଳିନାନନ ଭାର୍ଗବ ନିକଟୁ ଯାମିନୀ

ଅବହେଳି ଚାଲିଗଲା, ସଙ୍ଗେ ନିଶାମଣି ।

ଉଷା ଆଗମ ଉତ୍ସବେ ଉଷତ ଅନ୍ତରେ

ବନେ ଶୁଭ ବାଦ୍ୟନାଦ ବାଜେ ନାନାସ୍ୱରେ ।

ବନରାଣୀ ବୀଣା କିବା ବିହଗ କାକଳି,

ମଧୁର ସଙ୍ଗୀତେ ପୂରିଗଲା ବନସ୍ଥଳୀ ।

ଆନନ୍ଦେ ଅଧର ଗୋଜ କଲା ଅମ୍ୱୁଜିନୀ,

ଚୁମ୍ୱନ ଆଶେ କି ନବୋଦିତ ଦିନମଣି ?

ପ୍ରଭାତ ପବନେ ଝରିଲା ଗଙ୍ଗଶିଉଳି,

ସଙ୍ଗେ ଝରାଏ ରଜନୀଦତ୍ତ ହିମମାଳୀ ।

ଏକାଳେ କମଳାନନା ଦେଖିଲା ଅଦୂରେ,

ବେନି ନୀଳପକ୍ଷୀ ଉଡ଼ିଗଲେ ଶିରପରେ ।

ପୁଣି ପାଶେ ମୃଗଶିଶୁ ଦେଖା ଦେଲା ଆସି,

ବାତ୍ସଲ୍ୟସ୍ନେହେ ଉଠିଣ ବସିଲା ସୁକେଶୀ ।

ବିଷଣ୍ଣବଦନା ଦୀର୍ଘଶ୍ୱାସ ତେଜି ଧୀରେ

ପ୍ରାତଃକୃତ୍ୟ ଅର୍ଥେ ଗଲା ତଟିନୀର ତୀରେ ।

ଫେରି ଆସି ଦେଖେ ଫୁଲ୍ଲ ଅରବିନ୍ଦାନନୀ,

ପିତାପାଶେ ପ୍ରାଣେଶ୍ୱର, ବସିଛନ୍ତି ବେନି ।

କାଞ୍ଚିଯୁଦ୍ଧେ ହତ ନୃପ ମୟୂରଶେଖର,

ତେଣୁ ଆସି ନ ଥିଲେ ଯେ ବୀରେନ୍ଦ୍ରକୁମାର ।

ପିତୃଶୋକେ ବିଷାଦ ଜଳଜ ଚନ୍ଦ୍ରାନନ

ଢାଙ୍କିଅଛି, ବୀରଙ୍କର ନିଷ୍ପ୍ରଭ ଆନନ ।

ପିତୃବିୟୋଗରେ ପିତୃପ୍ରତିମ ନୃପଙ୍କୁ

ଅନୁନୟ କଲେ, କନ୍ୟା ସହ ନଗରକୁ

ଯିବାପାଇଁ, ମାତ୍ର ପୁରଞ୍ଜୟ ମହାମତି

ଆପଣେ ଯିବା ବିଷୟେ ବୋଇଲେ ଭାରତୀ-

‘‘ନେଇ ପାର ବିଜଳାରେ; ମାତ୍ର ସେ ମୋହର

ଏକମାତର ସହାୟ ଜୀବନଦୁଃଖୀର ।

ବିହୁନେ ତାହାର ସେବା କରିବ କେ ମୋତେ ?

ଅନ୍ନ ଜଳ ନ ପାଇବି, ବଞ୍ଚିବି କେମନ୍ତେ ?

କ୍ଷତ୍ରିୟ ମୁଁ ପରାଶ୍ରୟେ ରହି ନ ପାରିବି,

ଏମନ୍ତେ ଏକାନ୍ତେ ପଛେ ପରାଣ ତେଜିବି ।’’

କହି ରହିଲେ ମଉନେ ବୃଦ୍ଧ ନରବର,

ଉତ୍ତରେ ବୋଇଲେ ବୀର ସୁମଧୁର ଗିର-

‘‘ନ ଯାଇ ନଗରେ ଦେବ ! ରହନ୍ତୁ ଏଠାରେ,

ତବ ଆବାସଭବନ ରଚିବି ଅଚିରେ ।

ଦାସ ଦାସୀର ନିଯୋଗେ ରହନ୍ତୁ ଯତନେ,

ପ୍ରାଣପଣେ ସେବକେ ସେବିବେ ଶ୍ରୀଚରଣେ ।

ତବ ଯୋଗ୍ୟ ପୁରୀ ଏଥି ନିର୍ମ୍ମାଣ କରିବି,

ଦୁହିତାଅଭାବଦୁଃଖ ମୋଚନ କରିବି ।

ଆଜହୁଁ ସପ୍ତଦିବସେ ତନୟା ତୁମ୍ଭର

ରାଣୀପଦେ ଅଭିଷିକ୍ତ ହେବେ ରାଜପୁର ।’’

ଯୁବାବାକ୍ୟେ ନରପତି ହେଲେ ସନମତ,

ପ୍ରାଣନନ୍ଦିନୀର ଭାବୀ ସୁଖେ ଉଲ୍ଲସିତ ।

ପ୍ରେମସମ୍ଭାଷଣେ ତହୁଁ ଧରି ପ୍ରିୟାକର,

ନ ଆସିବା ଦୋଷ ମାଗିନେଲେ ବୀରବର ।

ବାମାଗଣ୍ଡେ ଦେଲେ ପ୍ରେମେ ବିଦାୟଚୁମ୍ୱନ,

‘‘ଯାଉଛି ଗୋ ଧୈର୍ଯ୍ୟ ଧରି ରହ ସପ୍ତଦିନ ।

ମୋ ଶିରେ ନିବେଶ ପିତା ସାମ୍ରାଜ୍ୟର ଭାର

ଏ ଭବଧାମରୁ ହୋଇଅଛନ୍ତି ଅନ୍ତର ।

ଆସିବି ଗୋ ଯାଉଅଛି ହେ ପ୍ରାଣବାନ୍ଧବି

ତୁମ୍ଭଙ୍କୁ ମୁରୁଛି କାହିଁ ରହି କି ପାରିବି ?’’

ଉତ୍ତରେ ଆତୁରେ ବାଳା ସଜଳନୟନା,

‘‘କେମନ୍ତେ ବଞ୍ଚିବି ନାଥ ! କହ ତବ ବିନା ?

ବଞ୍ଚିତା ନ କର ମୋତେ ଦର୍ଶନସୁଖରୁ,

ନିତି ଦେଖୁଥିବି ଯେହ୍ନେ ତବ ମୁଖ ଚାରୁ ।

ମିନତି ଚରଣେ ମୋର; ଏ ଅଭାଗିନୀକି

ସ୍ମୃତିପଟୁ ନ ଭୁଲିବ ଦୟିନି ଏତିକି ।’’

କରକରଦନା କର ଧରି କହେ ବୀର,

‘‘ଆସିବି ଗୋ ଶଶିମୁଖୀ, ଚିନ୍ତା ପରିହର ।’’

ଅଶ୍ରୁଧାରାଙ୍କିତ ଗଣ୍ଡେ ଚୁମ୍ୱିଲେ ଚୁମ୍ୱନ,

ପ୍ରଭାତନଳିନୀ କିବା ଚୁମ୍ୱିଲା ଅରୁଣ ।

ଫେରିଲେ ସେଦିନ ବୀର ରାଜପୁରୀ ମୁଖେ,

ବିଷାଦିନୀ ରହିଲା ଦୁଃସହ ମନୋଦୁଃଖେ ।

ତହିଁ ଆର ଦିବସରୁ ରାଜଶିଳ୍ପିଚୟ

ନିର୍ମ୍ମାଣିଲେ ନବ ପୁରୀ ଅତି ରମଣୀୟ ।

କ୍ରମେ ଦାସ ଦାସୀ ଆସି ରହିଲେ ସେ ପୁରେ,

ନବନୃପତି ଆଦେଶେ ସେବିଲେ ବୃଦ୍ଧରେ ।

ପ୍ରଦୋଷେ ଦିନେ ସୁବେଶ ହୁଏ ଚନ୍ଦ୍ରାନନା,

ଝଳି ବିରହ ଅନଳେ କନକବରନା ।

ଲମ୍ୱିତ ନୀଳକୁନ୍ତଳ, ବିମୁକ୍ତ କବରୀ

ଚରମେ ଶାମଳେ ତାହା ଏକ ପରିଚାରୀ ।

ଲାକ୍ଷାରସେ ଶିରିଷାଙ୍ଗୀ ପୟର ରଞ୍ଜିତ,

ଅରୁଣକିରଣ କୋକନଦେ କି ପତିତ ?

ଚାରୁ ପ୍ରପଦେ ରାଜିତ ମଞ୍ଜୁଳ ମଞ୍ଜୀର,

ଶୋଭେ କାଞ୍ଚି ନିତମ୍ୱିନୀ ନିତମ୍ୱେ ସୁନ୍ଦର ।

ଚମ୍ପାଗୋରୀ ଚାରୁ ଚମ୍ପାକଳୀ ଅଙ୍ଗୁଳିରେ

ମଣିମୟ ମୁଦ୍ରିକାର ଶୋଭା ବୃଦ୍ଧି କରେ ।

କରେ ମରକତଚୂଡ଼ୀ ମୃଣାଳନିନ୍ଦିତ,

ସୁଗୋଲ ବାହୁଲତାରେ ବାହୁଟି ଶୋଭିତ ।

କର୍ଣ୍ଣେ ମାଣିକ୍ୟ ତାଟଙ୍କ ଉଜ୍ଜ୍ୱଳ ଦିଶଇ,

ଆନନେନ୍ଦୁ ପାଶେ ବେନି ତାରା କି ଶୋଭଇ ?

ଜବାଅଧରୀ ଅଧର ତାମ୍ବୁଳେ ରଞ୍ଜିତ,

ମଣି ନାସାମଣିରେ ନାସିକା ସୁଶୋଭିତ ।

ଖଞ୍ଜନଜିତ ନୟନେ ଅଞ୍ଜନର ରେଖା,

ଅର୍ଦ୍ଧେନ୍ଦୁଭାଲେ ସିନ୍ଦୂରବିନ୍ଦୁ ଚାରୁ ଲେଖା ।

ଶାମଳି କୁନ୍ତଳ ସହି ଲମ୍ୱାଇଲା ବେଣୀ,

ଖେଳିଲା କି ରଙ୍ଗେ ପୃଷ୍ଠେ ଆହା କଳା ଫଣୀ ।

ଖଞ୍ଜିଲା ଶିୟରେ ସିନ୍ଥି ରତନେ ଖଚିତ,

କାଦମ୍ୱିନୀପରେ ଇନ୍ଦ୍ରଚାପ କି ସ୍ଥକିତ !

ପିନ୍ଧିଲା ନୀଳ କାଞ୍ଚଲା ଢାଙ୍କି କୁଚକଳୀ,

ନୀଳେନ୍ଦୀବରନୟନା ପିନ୍ଧେ ନୀଳ ଶାଢ଼ୀ ।

ସୁବେଶ ଅନ୍ତେ ଶୋଭାଙ୍ଗୀ ପିତାପାଶେ ମିଳି

ସଭକ୍ତି ଅନ୍ତରେ ପଦେ କଲା ନିଉଛାଳି ।

ନଗେନ୍ଦ୍ର ପୟରେ କିବା ନଗେନ୍ଦ୍ର ନନ୍ଦିନୀ

ପାର୍ବତୀ ମାଗେ ବିଦାୟ, ବରି ଶୂଳପାଣି ।

ତୋଳିଲେ ତଳୁ ତନୁଜା ସ୍ନେହେ ପୁରଞ୍ଜୟ,

ବସାଇଲେ କୋଳେ, ହୃଦ ହୋଇଲା ଅଥୟ ।

ପାରାବାରବକ୍ଷ ଯଥା ଅକୂଳ ଅଥଳ,

ପିତୃସ୍ନେହ ଆହା ଯାହା ଜଗତେ ଅତୁଳ ।

ଦରଅଶ୍ରୁବାରିଧାରା ବହେ ଘନଘନ,

ଗିରିରାଜନେତ୍ରୁ କିବା ଉଷ୍ଣପ୍ରସ୍ରବଣ ।

ପିତୃଶୋକେ ମାତୃହୀନହୃଦ ବିଜଳାର

ବିଚ୍ଛେଦବ୍ୟାକୁଳେ ହେଲା ଦ୍ୱିଗୁଣେ କାତର ।

ଅଣ୍ଡାଳି ତନୟାମୁଖ ପୋଛି ଅଶ୍ରୁବାରି’

ଶିର ଆଘ୍ରାଣିଲେ ସ୍ନେହଭରେ ଦଣ୍ଡଧାରୀ ।

ଗୋଟି ଗୋଟି କୋଟି ନୀତି ଉପଦେଶମାନ

କହି ପ୍ରବୋଧିଲେ ପ୍ରାଣନନ୍ଦିନୀର ମନ ।

ପିତୃପଦଧୂଳି ଘେନି ପଙ୍କଜନୟନୀ,

ବିଦାୟ ନେଲା ବିଷାଦପୂର୍ଣ୍ଣମନେ ଧନୀ ।

ଆଦରେ ପାଳିତ ମୃଗ ମୟୂର ମୟୂରୀ,

ପାରାବତ ଆଦି ଯେତେ କ୍ରୀଡ଼ାସହଚରୀ,

ଗଜଗମନା ଗମନ ଜାଣି ତାର ପାଶେ,

ଅଶ୍ରୁପୂର୍ଣ୍ଣ ନୟନେ ବେଢ଼ିଲେ ଚଉପାଶେ ।

ସ୍ନେହେ ସମ୍ଭାଷି ତାହାଙ୍କୁ ସୁଧାଂଶୁବଦନୀ

ପଶିଲା କୁଞ୍ଜରକୁଞ୍ଜେ କୁଞ୍ଜରଗାମିନୀ ।

ସ୍ୱକରେ ପାଳିତ ଯେତେ ତରୁଲତାମାନ,

କରେ ଆଉଁଶି ବିଦାୟ ମାଗିଲା ବହନ ।

ପୁଷ୍ପଛଳେ ଅଶ୍ରୁଜଳ ପାଦପେ ମୁଞ୍ଚିଲେ,

ବାତେ ଦୋଳାୟିତା ଲତା ବିଷାଦେ କମ୍ପିଲେ ।

ଶୁଭାଶିଷ କିବା ଚାରୁ କୁସୁମ ବର୍ଷଣ

କରି ବିଦାୟିଲେ ବାମା ତରୁଲତାଗଣ ।

ତହୁଁ ଆସି ତରଳାକ୍ଷୀ ‘ତରଙ୍ଗିଣୀ’ ନାମା

ଦାସୀକି ବିରସେ କହେ ବିଷାଦବଦନା,

‘‘ଯାଉଛି ଲୋ ପିତାଚିନ୍ତା ଲାଗିଲାଟି ତୋତେ,

ଜନନୀ ସମାନ ସିନା ମଣିଥାଏ ଚିତ୍ତେ ?

ପ୍ରାଣପଣେ ସେବିଥିବୁ ପଦ ପିତାଙ୍କର,

ମୋ ବିନେ ନୋହିବ ଯେହ୍ନେ ଦୁଃଖ ତାହାଙ୍କର ।’’

ସକଳେ ମଧୁରେ କହି ମଧୁରଭାଷିଣୀ

ମେଲାଣି ନେଲେ ସଜଳନେତ୍ରେ ଏଣୀକ୍ଷଣୀ ।

ସ୍ୱର୍ଣ୍ଣଖଚିତ ଶିବିକା ଥିଲା ସୁସଜ୍ଜିତ,

ବସିଲା ରମ୍ଭୋରୁ ତହିଁ ସଖୀସମାବୃତ ।

ବହିଲେ ବାହକେ, ରାଜମାର୍ଗେ ରାଜପୁରେ

ଯାଆନ୍ତେ ବୁଡ଼ିଲା ବନ ଶୋକ ଅନ୍ଧକାରେ ।

କାନନଶିରୀ କି ସତେ ହେଲା ଅପସୃତ,

ବନଦେବୀ ବିଜଳାର ବିଚ୍ଛେଦେ ବ୍ୟଥିତ ।

ରାଜପୁର ଫୁଲ୍ଲସରେ ପ୍ରଫୁଲ୍ଲନଳିନୀ

ପରାୟେ ଫୁଟିଲା ନବବଧୂ-କମଳିନୀ ।

ମାଳବନନ୍ଦିନୀ ସଙ୍ଗେ ବୀରେନ୍ଦ୍ରକୁମାର

ରାଜ୍ୟଅଭିଷେକ ଯେବେ ହେଲେ ରାଜପୁର,

ଉତ୍ସବ-ଆନନ୍ଦେ ହସି ଉଠିଲା ନଗରୀ,

ହରଷେ ଉନ୍ମତ୍ତ ଆହା ପୁର ନରନାରୀ ।

ହରିପୁରାକାଶେ ବୀର ନବ ଦିନମଣି,

ନବରାଣୀ ଶୋଭାରାଣୀ ନବୀନା ନଳିନୀ ।

ଏ ଯୁଗଳ ମିଳନର ଆନନ୍ଦ-ତରଙ୍ଗେ

ଭାସିଲେ ପ୍ରଜାଏ ଜୟଗୀତି ଗାଇ ରଙ୍ଗେ ।

ସୁଶାସନେ ସୁପାଳିତ ହେଲେ ପ୍ରଜାଗଣ,

ରାମରାଜ୍ୟେ ଶାସିତ କି ଅଯୋଧ୍ୟା ଭୁବନ ।

ପୂତପ୍ରାଣା ପ୍ରେମମୟୀ ବିଜଳା ମହିଷୀ

ବୀରେନ୍ଦ୍ରକୁମାର ହୃଦ-ଗଗନର ଶଶୀ

ରୂପଜ୍ୟେତ୍ସ୍ନାରେ ପ୍ଳାବିଲା ଯଥା ରାଜପୁର,

ଯଶାଲୋକେ ବିମଣ୍ଡିଲା ତଥା ହରିପୁର ।

ପରସ୍ପର ପ୍ରେମାର୍ଣ୍ଣବେ ସେ ରାଜଦମ୍ପତି

ବୁଡ଼ିଥିଲେ ନିତି ନବ ଅନୁରାଗେ ମାତି ।

କେବେ ପ୍ରିୟାସଙ୍ଗେ ନୃପ ପ୍ରମୋଦ ଉଦ୍ୟାନେ

କରନ୍ତି ଭ୍ରମଣ ସୁଖେ ହରଷିତ ମନେ ।

କେବେ କାନ୍ତ ସଙ୍ଗେ ଯାଏ କୁରଙ୍ଗନୟନା

ପିତୃ ଦରଶନେ ଆହା ଉଲ୍ଲସିତମନା ।

ଜରାଳୀକୂଳ ମଞ୍ଜୁଳ ପରିଚିତ ବନ

ଜନକ ଆବାସ ଯହିଁ, କରଇ ଗମନ ।

ପ୍ରାଣକାନ୍ତ କର ଧରି ଖଞ୍ଜନନୟନୀ

କରଇ ବିହାର ପୂର୍ବସ୍ମୃତି ମନେ ଘେନି ।

ରହି କିଛିଦିନ ତହିଁ ଫେରନ୍ତି ନଗରେ,

ଯାଉଥାଏ ଦିନ କଟି ପବିତ୍ର ପ୍ରେମରେ ।

କ୍ରମେ କିଛିଦିନ ଅନ୍ତେ ଗର୍ଭେ ବିଜଳାର

ଜନମ ଲଭିଲା ନବ କୁମର ସୁନ୍ଦର ।

ସୁକୁମାର ଅମଳ କମଳକଳୀ ସମ

ଶିଶୁର ମୂରତି ଆହା ନୟନାଭିରାମ ।

ସର୍ବ ସୁଲକ୍ଷଣଯୁକ୍ତ ଶରୀର ଶିଶୁର

ଦେଖି ରଖିଥିଲେ ନାମ ଲକ୍ଷଣକୁମାର ।

ପୁର ନରନାରୀ ସର୍ବେ ହେଲେ ଆନନ୍ଦିତ,

ନବ ଆଶା ଉତ୍ସାହେ ଜନନୀ ଉଲ୍ଲସିତ ।

ଶତଧାତ୍ରୀର ଉତ୍ସଙ୍ଗେ ପାଳିତ ଆଦରେ

ହେଉଥିଲା ବୃଦ୍ଧା ପିତାମହୀଙ୍କ କ୍ରୋଡ଼ରେ ।

କ୍ରମେ କ୍ରମେ ଶୁକ୍ଳପକ୍ଷ ଶଶଧରସମ

ବଢ଼ିଲା କୁମରମଣି ରୂପେ ଅପ୍ରତିମ ।

Image

 

ଚତୁର୍ଥ ସର୍ଗ

 

ମଧୁର ଯେ ମଧୁମାସ ମୃଦୁଳ ମଧୁର,

ଦକ୍ଷିଣା ଅନିଳ ବହିଯାଏ ଧୀର ଧୀର ।

ପଢ଼ୁଥାନ୍ତି ପିଞ୍ଜରୀରେ ଶୁକ ସାରୀ ବେନି,

‘‘ଜୟ ରାଜା’’ କହେ ଶୁକ, ସାରୀ ‘‘ଜୟ ରାଣୀ’’ ।

ବସିଥାଏ ବିଷାଦିନୀ କାଷ୍ଠାସନ ପରେ,

ନ ଦେଖେ ନୟନେ ବାମା ନ ଶୁଣେ କର୍ଣ୍ଣରେ ।

ସବ୍ୟେତରେ ସୁଚାରୁ ସରୋଜ ମୁଖ ରଖି

ବସିଛି ବିଜଳା ପର୍ବ-ଶର୍ବରୀଶ-ମୁଖୀ ।

ଚିନ୍ତିତ ଅନ୍ତରେ ଚିନ୍ତାଘନେ ଚନ୍ଦ୍ରାନନ

ଢାଙ୍କିଛି, ଗାମ୍ଭୀର୍ଯ୍ୟ ଭାର ଭରା ଅନୁପମ ।

ସହସା ସହାସମୁଖେ ପ୍ରାଣେଶ ତାହାର

ହେଲେ ପରବେଶ, ମୃଗୟାବେଶେ ଯୁବାର

ସୁସଜ୍ଜିତ ବରବପୁ, ଶିରେ ଶିରସ୍ତ୍ରାଣ,

ଝଲସିତ ହୁଏ କଟିଲମ୍ୱିତ କୃପାଣ ।

ଚାହିଁ ରାଜାଙ୍କୁ ଚନ୍ଦ୍ରମାଆନନୁ ବାଳାର

ବିଷାଦଘନ ନିମେଷେ ହୋଇଗଲା ଦୂର ।

ମଧୁର ହାସର ଜ୍ୟୋତ୍ସ୍ନା ମନ୍ଦାର ଅଧରେ

ଭାସିଉଠିଲା, ସଭ୍ରମେ ଉଭା ହେଲା ଧୀରେ ।

କାନ୍ତା-କର-କୋକନଦେ ଧରି ବୀରମଣି

ବୋଇଲେ ମଧୁରେ, ‘‘ପ୍ରିୟେ ! ଦିଅ ଗୋ ମେଲାଣି,

ମୃଗୟାକୁ ଯାଉଅଛି ଦୂର ବନଘୋରେ,

ଫେରି ଆସିବି ପ୍ରେୟସି, ଆଜି ପ୍ରଦୋଷରେ ।’’

ସଜସରୋଜବଦନୀ ସ୍ୱାମୀ ବାଣୀ ଶୁଣି

ପଡ଼ିଲା ମଉଳି ଗଦଗଦେ କହେ ଧନୀ,

‘‘ନାହିଁ ପ୍ରାଣେଶ୍ୱର ! ପଡ଼ୁଅଛି ଶ୍ରୀଚରଣେ,

ଛାଡ଼ି ନ ଦେବି ଯିବାକୁ କଦାପି କାନନେ ।

ଦୁଃସ୍ୱପ୍ନ ଦେଖି ଯେ ପ୍ରାଣ ହୁଏ ବିକମ୍ପିତ,

ମହାବାତେ ରମ୍ଭାପତ୍ର ଥରଇ ଯେମନ୍ତ ।

ଅକାରଣେ ଅଶ୍ରୁଜଳ ଝରଇ ନୟନେ,

ସେ ସ୍ୱପ୍ନ ସତତ ଭାସି ଉଠେ ପୋଡ଼ାପ୍ରାଣେ ।

ଯିବ ଯଦି ଏ କୃପାଣେ ହାଣି ଦାସୀଶିରେ

ମୃତଶବ ଲଙ୍ଘି ତାର ଯାଅ ହରଷରେ ।’’

ଧରି ବକ୍ଷେ ପ୍ରେମଲତା କରି ଆଲିଙ୍ଗନ

ସ୍ମିତ ସୁଧାବାକ୍ୟେ ବୀର ବୋଇଲେ ଏସନ,

‘‘ଏ କି ପ୍ରାଣେଶ୍ୱରି ! ଆଜି ତବ କାତରତା ?

ତେଜ ବୃଥା ଶଙ୍କା ସତୀ, କ୍ଷୁଦ୍ର ଦୁର୍ବଳତା !

ଯାଉଅଛି ଲେଉଟି ଗୋ ଆସିବି ଏକ୍ଷଣି,

ସାମାନ୍ୟ ସ୍ୱପନେ ଚିନ୍ତା କର ସୁଲକ୍ଷଣୀ !

ହାତମୁଠାରେ କି ବାତ ରହେ ସୁକୁମାରୀ !

ସ୍ୱପନବଚନ ସତ୍ୟ ମଣୁଛ ସୁନ୍ଦରୀ ।

ଅଳୀକ ଆଶଙ୍କା ମନୁ ତେଜ ରାମାବର,

ହେଲେଣି ସର୍ବେ ସଜ୍ଜିତ ହେଉଛି ଉଛୁର ।’’

ଚାହିଁଅଛି ଚନ୍ଦ୍ରାନନୀ ସଜଳ ନୟନ,

ଚନ୍ଦ୍ର ମହୋଦଧିର କି ଶେଷ ଦରଶନ

ପୂର୍ଣ୍ଣିମା ପ୍ରଭାତେ; ପ୍ରେମପ୍ରତିମା ଆନନ

ଚୁମ୍ୱିଲା ପ୍ରଣୟଭରା ଆଦର ଚୁମ୍ୱନ ।

ଭାବି ବିରହବିକଳା ବିକଚ ନଳିନୀ

ଚୁମ୍ୱିଲା କି ଆହା ! ଅସ୍ତଗାମୀ ଦିନମଣି ?

ବିଦ୍ୟୁତ ବେଗେ ବିଦ୍ୟୁତବରନାର କର

ଛାଡ଼ିଣ ‘ଯାଉଛି’ କହି ହୋଇଲେ ଅନ୍ତର ।

ଚାହିଁ ରହିଅଛି ଶୂନ୍ୟେ ଆୟତଲୋଚନା,

ବଜ୍ରାହତା କିବା ନବ କୁସୁମପ୍ରତିମା ।

ଅନିଚ୍ଛା ଅଜ୍ଞାତେ ଅମଙ୍ଗଳ ଅଶ୍ରୁନୀର

ନୀଳାବ୍ଜ-ନୟଡ଼ୁ ଝରିପଡ଼ଇ ବାମାର ।

କାନ୍ତ ବିନା ନବୀନାର ମନ ଛନ ଛନ,

ବିଷ ସମାନ ମଣିଲା ଅଶନ ଭୂଷଣ ।

ଘର ବାହାର ବିହାର ନ ରୁଚଇ କିଛି,

ସଙ୍ଗିନୀକୁ କହେ ଡାକି ନେତ୍ରୁନୀର ମୁଞ୍ଚି,

‘‘କହ ପ୍ରିୟସଖୀ ଆଜି କି ହେଲା ମୋହର,

ଅକାରଣେ ପ୍ରାଣ କିପାଁ ହୁଏ ଲୋ କାତର ?

ଅହୈତୁକୀ ଆଶଙ୍କାରେ ଆକୁଳ ମୋ ମନ,

କିବା ଅମଙ୍ଗଳ ଦୃଶ୍ୟ ମାନସ ନୟନ

ଭାସିଉଠେ ଲୋ ସଜନୀ, ବାଜଇ କର୍ଣ୍ଣରେ

ଅମଙ୍ଗଳ ଧ୍ୱନି, ଯେହ୍ନେ ଶୁଭଇ ଅଦୂରେ ।

ତୃଷାତୁର ପଥିକର ତାପିତ ପରାଣେ

ଉତ୍ତପ୍ତ ମରୁର ତପ୍ତ ନିଶ୍ୱାସ ଯେସନେ ।

ରହି ରହି କାନ୍ଦିଉଠେ ଏ ପୋଡ଼ା ପରାଣ,

ଅନିଚ୍ଛାରେ ବହେ ଅଶ୍ରୁ କଲେହେଁ ବାରଣ ।

ସଦା ମୃଗୟାରସିକ ପ୍ରଭୁ ଅଭାଗୀର,

ଶତ ଶତ ବାର ଯାଇଥାନ୍ତି ବନଘୋର ।

ନ ହୁଏ ତ ଦିନେ ମନ ଅସ୍ଥିର ଏମନ୍ତ,

କହ କିପାଇଁ ଲୋ ଆଜି ଏ କି ବିପରୀତ ?

ସାନ୍ତ୍ୱନା ବଚନେ ସଖୀ ବୁଝାଇଲେ ଯେତେ,

ଅସ୍ଥିରପ୍ରାଣା ସୁନ୍ଦରୀ ନ ବୁଝେ କିଞ୍ଚିତେ ।

ହୁଏ ଛଟପଟ ଆହା ପତିସଙ୍ଗ ବିନା

ବନକପୋତିନୀ ଯଥା, ବ୍ୟାକୁଳା ନବୀନା ।

ଶେଷେ ବନପୂର୍ଣ୍ଣ ନେତ୍ରେ କହେ ଜବାଧରୀ,

‘‘ଚାଲ ଲୋ ସଙ୍ଗିନୀ, ଆଜି ଯିବି ଅନୁସରି

ପତି ଆଗମନ ପଥେ ପିତାଙ୍କ ଭବନ,

ସଜାଅ ଶିବିକା ସଖୀ ଯିବି ଲୋ ବହନ ।’’

ସାଜିଲେ ସଖୀଏ ତ୍ୱରା ଶିବିକା ସମ୍ଭାରେ,

ବାହାରିଲା ବନଜବଦନା ଧାତିକାରେ ।

ପରାଣପୁତ୍ତଳି ପୁତ୍ର ଲକ୍ଷଣକୁମରେ

ସନ୍ତାପିତପ୍ରାଣେ ବାଳା ଧରିଲା କୋଳରେ ।

ପତିପଦ ଅନୁସରି ଯାଏ ବିଷାଦିନୀ,

କାମଦେବ ପାଇଁ କିବା କନ୍ଦର୍ପକାମିନୀ ।

ଏଣେ ମହା ଉତ୍ସାହିତପ୍ରାଣେ ନୃପବର

ସଗହଣେ ମୃଗୟାରେ ଗଲେ ଦର୍ପଭର ।

ପ୍ରଥମ ଶିକାରେ ଚିତ୍ର ବିଚିତ୍ରାଙ୍ଗ ପକ୍ଷୀ

ଦେଖି ଆମଞ୍ଚିଲେ ଧନୁ ତୀକ୍ଷଶର ଯୋଖି ।

ଭ୍ରଷ୍ଟ ହେଲା ଲକ୍ଷ୍ୟ, ଆହା କପୋତମିଥୁନ

ଅନ୍ୟ ଡାଳେ, ପଡ଼ିଲା ହା ସେ ତୀକ୍ଷ୍ମ ମାର୍ଗଣ

କପୋତିନୀ ବକ୍ଷେ, ତଳେ ପଡ଼ିଲା ତକ୍ଷଣ

ମୃତ୍ୟୁଯନ୍ତ୍ରଣାରେ କରି କରୁଣ ନିଃସ୍ୱନ ।

କପୋତୀ ପତନେ ମହାଦୁଃଖେ ସେ କପୋତ

ପ୍ରାଣଭୟ ତେଜି ଅତି ଶୋକବିହ୍ୱଳିତ ।

ଉଡ଼ିଆସି ଭୂତଳେ ବସିଲା ତାର ପାଶେ,

ସକରୁଣ ସ୍ୱରେ ରାବି ବୁଲେ ଚଉପାଶେ ।

ଶରାଘାତେ କଲବଲ କପୋତୀ ହୁଅଇ,

ଚଞ୍ଚୁରେ ଚଞ୍ଚୁକୁ ଧରି କପୋତ ରାବଇ ।

ଏ କରୁଣ ଦୃଶ୍ୟ ଦେଖି କରୁଣହୃଦୟ

ବୀରେନ୍ଦ୍ରକୁମାର ହେଲେ ବିଷାଦେ ଅଥୟ ।

କରୁ ଧନୁ ପକାଇ କପୋତ ପାଶେ ମିଳି

ରୁଧିରାକ୍ତ ତନୁ ତାର କୋଳେ ନେଲେ ତୋଳି ।

ଧୀରେ ଧୀରେ ତୀରଫଳା କରନ୍ତେ ବାହାର,

ଅସ୍ପଷ୍ଟ କାତର ସ୍ୱନ ସହିତେ ତାହାର

ପ୍ରାଣବାୟୁ ଗଲା ଛାଡ଼ି; ଦେଖି ବୀରମଣି

ବିରସମନେ ଶବକୁ ରଖିଲେ ଅବନୀ ।

ପ୍ରିୟାର ମରଣ ଯହୁଁ କପୋତ ଜାଣିଲା,

ଭୟ ତେଜି ବୀରବର-ଶ୍ରୀକରେ ବସିଲା ।

ମୁଖେ ଚାହିଁ ଆର୍ତ୍ତନାଦେ କରଇ ରୋଦନ,

ତା ବିକଳ ଚାହିଁ ସର୍ବେ ସଜଳ ନୟନ ।

କରେ ଆଉଁସିଣ ଦୁଃଖେ ଛାଡ଼ିଦେଲେ ବୀର,

ଲେଉଟି ରାବିଲା ପୁଣି କପୋତୀପାଶର ।

ବିଷାଦ ଅନ୍ତରେ ବୀର ହେଲେ ଅଗ୍ରସର,

ମହାଘୋରବନମୁଖେ ଘେନି ଅନୁଚର ।

ଅନେକ ଜନ୍ତୁ ମାରିଲେ ଖର ଶରାଘାତେ,

ବିରସଚିତ୍ତେ ଉତ୍ସାହ ଆସିଲା କିଞ୍ଚିତେ ।

ଦିବା ଅବସାନ ହେବା ପୂର୍ବରୁ ନୃମଣି

ଫେରିଲେ କାନନୁ ଘେନି ମୃତ ଜନ୍ତୁଶ୍ରେଣୀ ।

ଜରାଳୀକୂଳେ ମାଳବ ନରପତିଙ୍କର

ଭବନେ ହେଲେ ପ୍ରବେଶ ବୀରେନ୍ଦ୍ରକୁମାର ।

ତଟିନୀ ଶୀକର ଶତ ସ୍ନିଗ୍ଧ ସମାରଣ

ବିଞ୍ଚି ଅବସାଦ, କ୍ଳାନ୍ତି କରିଲା ହରଣ ।

ପାନ ଭୋଜନାଦି ସାରି ପ୍ରଫୁଲ୍ଲ ଆନନେ

ପ୍ରିୟାକରରୋପିତ କୁସୁମିତ ଉଦ୍ୟାନେ

କରନ୍ତି ଭ୍ରମଣ ବୀର, ପ୍ରତି ପୁଷ୍ପେ ପତ୍ରେ

ଅତୀତ ମଧୁର ସ୍ମୃତି ଭାସିଯାଏ ନେତ୍ରେ ।

ନିଦ୍ରାଭଙ୍ଗେ ମନେ ପଡ଼େ ସ୍ୱପନ କାହାଣୀ,

ଗୋଟି ଗୋଟି ସ୍ୱପ୍ନଦୃଶ୍ୟ ତଥା ବୀରମଣି

ଭାଳନ୍ତି ହର୍ଷ ବିସ୍ମୟେ, ପଡ଼ିଲା ନୟନେ

ମାଧବୀ ମଣ୍ଡପ, ପୁଣି ପଡ଼ିଗଲା ମନେ-

‘‘ଦିନେ ଲଳିତାଙ୍ଗୀ ଏହି ଲତା ଅନ୍ତରାଳେ

ଲୁଚିଥିଲା, ଖୋଜି ନ ପାଇ କହିଲି ଛଳେ

‘କାହିଁଅଛ ପ୍ରାଣପ୍ରିୟେ ବେଗେ ଧାଇଁ ଆସ,

ଭୀଷଣକାୟ ଉରଗ କଲା ମୋତେ ଗ୍ରାସ’

ଏହା ଶୁଣି କାତରେ ସେ ଆସିଲା ବାହାରି,

ଦେଖି ମୋ ବଚନ ମିଥ୍ୟା ବୋଇଲା ଚତୁରୀ,

‘ତବ ବାକ୍ୟେ ପ୍ରାଣନାଥ ଶରୀରଶୋଣିତ

ହେଲା ଦାସୀର ଶୀତଳ, ପ୍ରାଣ ବିକମ୍ପିତ ।

ଏମନ୍ତ ଦାରୁଣ ବାଣୀ ଦିନେ ନ କହିବ,

ଶୁଣିଲେ ଅଭାଗୀ ନିଶ୍ଚେଁ ପରାଣ ତେଜିବ ।

ପ୍ରେମିକା ପରାଣ କୁସୁମରୁ ସୁକୁମାର,

କୁଳିଶୁ କଠିନ ପୁଣି ପ୍ରେମିକା ଅନ୍ତର,

ଜୀବନେ ମରଣେ ଭୀତି ନ କରଇ ପ୍ରୀତି,

ପ୍ରାଣରୁ ଅଧିକ ପ୍ରେମ, ଜାଣେ ସତୀମତି ।’

କରିବି ଆଜି ପରୀକ୍ଷା ଅନ୍ତର ତାହାର,

ମୋ ବଚନ ଶୁଣି କି କହିବ ରାମାବର ।’’

ଏମନ୍ତ ବିଚାରି ଚିତ୍ତେ ବୀରେନ୍ଦ୍ର ମଉଳି

ବିଶ୍ୱସ୍ତ ଭୃତ୍ୟକୁ ପାଶେ ଆଣିଲେ ହକାରି ।

ବୋଇଲେ ‘‘ରେ ଯାଅ, ଯହିଁ ‘ଛନ୍ତି ମହାରାଣୀ,

ଥିବେ ଏକାନ୍ତ ଅଲକ୍ଷ୍ୟେ, ନ ଥିବେ ଜନନୀ ।

କହିବୁ ବିଷଣ୍ଣ ମୁଖେ ଗଦଗଦ ସ୍ୱରେ,

‘କି କହିବି ଦେବି ! କଥା ନ ଆସେ ତୁଣ୍ଡରେ ।

ଶିକାରୁ ଫେରି ନୃପତି ତବ ପୁଷ୍ପବନେ

ଭ୍ରମୁଥିଲେ, ସର୍ପ ଏକ ଆସି ଶ୍ରୀଚରଣେ

ଦେଲା ଦଂଶି, ଗତପ୍ରାଣ ହେଲେ ମହାରାଜ

ଶୋକଜଳେ ବୁଡ଼ିଲା ମା ହରିପୁର ଆଜ !’

ଯେତେ ପୁଚ୍ଛିଲେ ମହିଷୀ ଏମନ୍ତ କହିବୁ,

ଆସିବାକୁ ଇଚ୍ଛା କଲେ ନାହିଁ ନ କରିବୁ ।

ଶୋକ କଲେ ସଙ୍ଗେ ତୁହି କରିବୁ ରୋଦନ,

ଯାଅ ବେଗେ ବିଳମ୍ୱରେ ନାହିଁ ପ୍ରୟୋଜନ ।’’

ନୃପବାକ୍ୟେ ଅନୁଚର କର୍ଣ୍ଣେ ଦେଲା କର,

ବୋଇଲା ସଭୟେ, ‘‘ଦେବ ! ଏ ଆଜ୍ଞା ଛାମୁର

ପାଳି ନ ପାରିବ ଦାସ କଦାପି ପ୍ରାଣାନ୍ତେ,

ଏ ନିଷ୍ଠୁର ବାଣୀ ପ୍ରଭୁ, କହିବ କେମନ୍ତେ

ମହାରାଣୀ ଶ୍ରୀଛାମୁରେ ? ଏ ମିଥ୍ୟା ବଚନ

ନ ଆସିବ ଦାସତୁଣ୍ଡେ ! କ୍ଷମ ଅକିଞ୍ଚିନ ।’’

ଅଭୟେ ଆଶ୍ୱାସି ବୀର ବୋଇଲେ ମଧୁରେ,

‘‘ମୋ ଆଜ୍ଞାରେ ଯାଅ, ଦୋଷ ନାହିଁ ତୋହଠାରେ ।

ରାଜାଜ୍ଞା ଅବଜ୍ଞା ଦୋଷେ ହେବୁ ଦଣ୍ଡନୀୟ,

ଦୋଷାଦୋଷ ମୋର, ତୋର ନାହିଁ କିଛି ଭୟ ।’’

ସଶଙ୍କ ଚିତ୍ତରେ ଭୃତ୍ୟ ମାଗିଲା ମେଲାଣି,

ମୃତ୍ୟୁଛଳେ ଭୂତଳେ ଶୋଇଲେ ଯୁବାମଣି ।

ମିଥ୍ୟାବାକ୍ୟଭାରଭରେ ବଦନ ଭୃତ୍ୟର

ଶୁଖିଅଛି, ଭୟେ ସ୍ୱେଦ ବହେ ଝରଝର ।

ବାହାରି ଅଛି ବରାଙ୍ଗୀ ଜନକଭବନେ,

ପ୍ରବେଶିଲା ବାର୍ତ୍ତାବହ ତାର ସନ୍ନିଧାନେ ।

ଚରଣେ ପ୍ରଣମି ଭୟଚକିତ ବଚନ

ନୃପତି ଆଦେଶମାନ କରିଲା ବର୍ଣ୍ଣନ ।

ଶୁଣି ରାଣୀ ଶିରେ କିବା ବଜ୍ରପାତ ମଣି

‘‘ଆହା ନାଥ !’’ ବୋଲି ଢଳିପଡ଼ିଲେ ଅବନୀ ।

ଧାଇଁ ଆସି ସଖିଶ୍ରେଣୀ ମୁଖେ ନୀର ଛିଞ୍ଚି

ନାଶା କର୍ଣ୍ଣ ଫୁଙ୍କି ବହୁ ବ୍ୟଜନରେ ବିଞ୍ଚି

କେତେକ୍ଷଣେ ଚେତା କରାଇଲେ ସେ ସୁନ୍ଦରୀ,

ଘନ ଘନ ବହେ ରମ୍ୟ ନୟନରୁ ବାରି ।

ଶିରେ କର ମାରି କାନ୍ଦି କହଇ ବିକଳେ,

‘‘ଆହା ରେ ବିଧାତା ଏହା ଥିଲା ମୋ କପାଳେ ?

ଆହା ପ୍ରାଣେଶ୍ୱର ! ମୋର ଦେଖି କେଉଁ ଦୋଷ

ଗଲ ଛାଡ଼ି ଅଭାଗୀରେ କରିଣ ନିରାଶ ?

ଯେତେ ବିନତିଲା ଦାସୀ ବୋଲ ନ ମାନିଲ,

କି କାରଣେ ପ୍ରାଣନାଥ, ଅକରୁଣ ହେଲ ?

ନ ଜାଣ କି ପ୍ରଭୁ ! ପଦସେବିକାର ମନ ?

ପ୍ରାଣପକ୍ଷୀ ନୀଡ଼ ଛାଡ଼ି କରିବ ପ୍ରୟାଣ ।

ଅସ୍ତ ହେଲେ ଦିନମଣି ଦିବା କି ରୁହଇ ?

ଅସ୍ତ ହେଲେ ଶଶଧର ଜ୍ୟୋତ୍ସ୍ନାକୁ ନିଅଇ ।

ଉପୁଡ଼ିଲେ ତରୁ ଛାୟା ରହଇ କି ଆଉ ?

ଭାଙ୍ଗିଗଲେ ଦୀପ ଶିଖା ନିଭେ ଚାହୁଁ ଚାହୁଁ ।

ଶୁଷ୍କ ସରୋବରେ ପ୍ରଭୁ, ବଞ୍ଚେ କି ନଳିନୀ ?

ଦାସୀପ୍ରାଣ ଯାଇଅଛ ତବ ସଙ୍ଗେ ଘେନି ।

ନିଜ କର କରବାଳେ ନାଶିଥାନ୍ତ ଯେବେ,

‘‘ସୁଭାଗିନୀ’’ ବୋଲି ଗର୍ବ କରିଥାନ୍ତି ତେବେ ।

ଦାରୁଣ ବିଧାତା ମୋର ସେ ଆଶା ନାଶିଲୁ,

ପରାଣ-ତାରଣ ତରୀ ବୁଡ଼ାଇଣ ଦେଲୁ ।

ଏତିକି ଦୁଃଖ, ଆଉ ସେ ମଧୁର ବଚନ

ଶୁଣିଲା ନାହିଁ ଅନ୍ତିମେ ଅଭାଗୀ ଶ୍ରବଣ ।

ନ ଦେଖିଲା ଦଗ୍ଧନେତ୍ରେ ସେ ସୌମ୍ୟ ଆନନ,

କାହିଁ ଲୁଚିଲ ହେ ନାଥ, ଦିଅ ଦରଶନ ।

ତିଳେ ଦାସୀକଷ୍ଟ ଦେଖୁ ନ ଥିଲ ନେତ୍ରର,

କେମନ୍ତେ ହେଲ ଦାରୁଣ ହାହା ନାଥ ମୋର ।’’

ଏତେ କହି ଚନ୍ଦ୍ରାନନୀ ହେଲା ରୁଦ୍ଧସ୍ୱର,

ବାତାହତା ଲତା ପରା ପଡ଼ିଲା ମହୀର ।

ସଖୀଙ୍କ ଶୁଶ୍ରୂଷା ଲଭି ପୁଣି ଚେତି ବାଳା

ଦୂତମୁଖେ ଚାହିଁ କହେ ନୟନସଜଳା;-

‘‘ଚାଲ ରେ ବାରତାବହ, ଯହିଁ ପ୍ରଭୁ ମୋର

ବେଳୁବେଳ ବିକମ୍ପିତ ଦଗ୍‌ଧ କଳେବର ।’’

ଉନ୍ମାଦିନୀ ସମ ବାମା ଉଠିଲା ଝଟତି,

କେଶ ବାସ ଅସମ୍ଭାଳ, କାରୁଣ୍ୟମୂରତି ।

ଯାଏ ପ୍ରାଣପତି ପଦଦରଶନ ପଥେ,

ଗଲେ ସଖୀଏ କୁମାର ଘେନିଣ ସଙ୍ଗତେ ।

ତଟିନୀତଟ କାନନେ କେତେକ୍ଷଣେ ସତୀ

ଉତୁରିଲା ଜୀବନ୍ତ କାରୁଣ୍ୟ ପ୍ରତିମୂର୍ତ୍ତି ।

ଜନକାଙ୍ଗୀକି ନୟନେ ଦେଖି ସ୍ନେହାଦରେ

ପୋଷା ଜନ୍ତୁମାନେ ତାର ଧାଇଁଲେ ପଛରେ ।

ତରୁ ଲତା ସ୍ୱାଗତ ସମ୍ଭାଷେ ପୁଷ୍ପରାଶି

ଫିଙ୍ଗିଲେ ଆନନ୍ଦେ ନେତ୍ରେ ଦେଖିଣ ସୁକେଶୀ ।

ବନବିହଗୀ ହରଷେ କାକଳି ସୁତାନେ

ସମ୍ୱର୍ଦ୍ଧନା କଲେ ବାଳା ଦେଖି ବହୁଦିନେ ।

ନ ଦେଖେ ନୟନେ ବାମା କାନନ ସୁନ୍ଦର,

ନ ଶୁଣେ ଶ୍ରବଣେ ବନଗୀତି ସୁମଧୁର ।

ଛିନ୍ନ ଲତାସମ ଆହା ଖର ଚିନ୍ତାସ୍ରୋତେ

ଯାଉଅଛି ଭାସି ଚଳଚ୍ଚିତ୍ର କିବା ସତେ ।

ଅସ୍ଥିର ପଦବିକ୍ଷେପେ ସ୍ଖଳିତ ଚରଣ

ହୁଏ ପଦେ ପଦେ, ତେବେ ନାହିଁ ବାଳା ଜ୍ଞାନ ।

ଚକିତା କୁରଙ୍ଗୀ କିବା ଚାହେଁ ଚଉଦିଗେ,

ଦେଖିଲା ପୁଷ୍ପିତା ମାଧବୀ ମଣ୍ଡପଲାଗେ

ଅଧୋମୁଖେ ଭୂପତିତ ତା ଜୀବନଚୋର,

ସାମାନ୍ୟ ଭୂଷଣେ ବିଭୂଷିତ କଳେବର ।

କାଞ୍ଚନଶୃଙ୍ଗ କି ଅବା ଭୂତଳେ ଲୁଣ୍ଠିତ,

ପ୍ରଭାକର କରେ କିବା ଧରା ଆଲୋକିତ ।

ଶ୍ଳଥ ଉଷ୍ଣୀଷ, କୁଞ୍ଚିତ ଚାରୁ ବୀରକେଶ

ଅସ୍ତବ୍ୟସ୍ତେ ନିପତିତ, ଚାହିଁ ନାରୀଈଶ

ପ୍ରାଣପ୍ରିୟତମ ମୃତ୍ୟୁଦୃଶ୍ୟ ଦେଖି ଆଗେ

‘‘ଆହା ପ୍ରାଣେଶ୍ୱର’’ ବୋଲି ନକ୍ଷତ୍ରର ବେଗେ

ପତିପଦେ ସଶବ୍ଦେ ପଡ଼ିଲା ସୁକୁମାରୀ,

ସହକାର ସହ ଛିନ୍ନା ବ୍ରତତୀ ଯେପରି ।

ଚକିତେ ଚମକି ବୀର ଉଠିଣ ବସିଲେ,

ମୃତ୍ୟୁ ଅଭିନୟ ଯବନିକା ଉଠାଇଲେ ।

ତୋଳି ଧରି ବକ୍ଷେ ତନୁ ପ୍ରେମପ୍ରତିମାର

ଦେଖିଲେ ନିଷ୍ପ୍ରଭ ବିଧୁବଦନ ବାଳାର ।

ପତନ ସଙ୍ଗେ ବାଳାର କ୍ଷୀଣ ପ୍ରାଣବାୟୁ

ଶୋଭାସଦନ ତନୁରୁ ଗଲା ଚାହୁଁ ଚାହୁଁ ।

ନାସାରନ୍ଧ୍ରେ ଦେଲେ କର ନ ବହଇ ଶ୍ୱାସ,

ବକ୍ଷ ପରଶି ବୀରଙ୍କ ବୁଡ଼ିଲା ସାହସ ।

କରକୁ ଲାଗେ ଶୀତଳ ଶିଶିର ନିଶାନ୍ତେ

ଅନାବୃତ ସ୍ଥାନେ ହେମପ୍ରତିମା ଯେମନ୍ତେ ।

ଜାଣି ଜୀବନସଙ୍ଗିନୀ ସହସା ମରଣ

ହେଲା, ନିଜେ ହେଲେ ଆହା ତାହାର କାରଣ,

ଲଜ୍ଜା, ଅପମାନ, ଖେଦ ଶୋକ ସଙ୍ଗେ ମିଶି

ବୀର ଚେତନା-ଚନ୍ଦ୍ରକୁ ପକାଇଲା ଗ୍ରାସି ।

‘‘କି କଲି ଗୋ ପ୍ରିୟତମେ ।’’ ବୋଲିଣ ବିକଳେ

ପ୍ରେମଲତ ଧରି କୋଳେ ପଡ଼ିଲେ ଭୂତଳେ ।

ଇନ୍ଦୁମୁଖୀ ଇନ୍ଦମତୀ ଶବ ଧରି କୋଳେ

ପଡ଼ିଥିଲେ ଅଜ ରାଜ ଯଥା ଧରାତଳେ;

ଇନ୍ଦ୍ରଜିତ କରେ ଦେଖି ମାୟ ସୀତା ହତ

ହୋଇଥିଲେ ରାମଚନ୍ଦ୍ର ଯେମନ୍ତ ମୂର୍ଚ୍ଛିତ;

ତେମନ୍ତ ଧରାରେ ଧରାମଣ୍ଡନକୁ ଧରି

ଚେତା ହରାଇଣ ପଡ଼ିଗଲେ ଦଣ୍ଡଧାରୀ ।

ଅନୁସରି ସଙ୍ଗିନୀଏ ଆସି ପ୍ରବେଶିଲେ,

ଅଭାବିତ ଦୃଶ୍ୟ ଦେଖି ସ୍ତମ୍ଭିତ ହୋଇଲେ ।

ଭୟ ବିସ୍ମୟେ ସଖୀଏ କରନ୍ତେ ଶୁଶ୍ରୂଷା

ସଂଜ୍ଞା ଲଭି ବୀରମଣି ଉଠିଲେ ସହସା ।

ଅବଳାସମ ବିକଳେ କାନ୍ଦିଣ କହନ୍ତି,

‘‘ସୁଖନିଶି ଏବେ ମୋର ହେଲା ଗୋ ପାହାନ୍ତି ।

ଆହା ରେ ନବ ନବୀନା କେଣେ ଛାଡ଼ିଗଲୁ,

ଅଭାଗାର ଦଶା ଗୋ ଲେଉଟି ନ ଦେଖିଲୁ ।

ରହସ୍ୟ ବାକ୍ୟରେ ସିନା କହିଲି ସୁନ୍ଦରୀ,

ସେ ଛଳକୁ ଅଭିମାନ କରି ଗଲୁ ଗୋରୀ ।

ସ୍ୱପନରେ ଦିନେ କରି ନ ଥିଲୁ ଗୋ ମାନ,

ଆଜି କି ଦୋଷେ ପ୍ରେୟସି ହେଲୁ ଗୋ ମଉନ ?

ତୋ ବିନା ବାନ୍ଧବୀ, ଦୃଶ୍ୟ ନୁହଇ ଅବନୀ,

ଘନ ଘନ ଚ୍ଛନ୍ନ ବନେ ତିମିର ରଜନୀ ।

ପଥିକର ଦଶା ବିଦ୍ୟୁତ ଆଲୋକ ବିନା

ଯେମନ୍ତ, ତେମନ୍ତ ଆଜି ମୋର ଦଶା ସିନା ।

ନ ଦେଖି ଗୋ ସଖି । ତୋର ଇନ୍ଦୁନିଭାନନ

କେମନ୍ତେ ଧରିବି କହ ଏ ସନ୍ତପ୍ତ ପ୍ରାଣ ?

କରେ କର ଦେଇ ତୋର କାନନବିହାର,

ପ୍ରେମ ଉଚ୍ଛ୍ୱସିତ ମନେ ପଶା ଖେଳିବାର,

ମଧ୍ୟାହ୍ନେ ତୋ ସଙ୍ଗେ ଆହା ତରୁଚ୍ଛାୟାତଳେ

ପ୍ରେମାଳାପ କରି ସୁଖେ ଭ୍ରମଣର ବେଳେ

କୁରଙ୍ଗିନୀ କୁମରକୁ ତୋର ସ୍ନେହାଦର,

ଏହି କୁସୁମ ଉଦ୍ୟାନେ ଫୁଲ ତୋଳିବାର,

ଆଦରେ ତୋ କୋଳେ ଶିର ନିହି ଗୋ ସୁନ୍ଦରୀ,

ଶୟନ କରିବା ଭାଗ୍ୟେ ନାହିଁ ପ୍ରାଣେଶ୍ୱରୀ !

ଯେତେ ତୋର ଲୀଳା ଖେଳା ଆରେ ଗୁଣବତୀ,

ମନେ ପଡ଼େ ଶତ, ହୁଏ ହୃଦୟ କରତି ।

ଶତ ଶତ ସ୍ମୃତି ତୋର ମୋର ଚଉପାଶେ

ଫଣୀସମ ଏଣୀଦୃଶା, ତୀବ୍ରତାପେ ଦଂଶେ ।

କଳାକରକଳ ସମ କୁମର ତୋହର

ବିଚଳିତ ହେଉ ତିଳେ ହୋଇଲେ ଅନ୍ତର ।

ଦଶ ମାସ ମାତ୍ର ଶିଶୁ ରେ ହେମବରନା !

କେଉଁ ଦୋଷ ଦେଖି ତାରେ ହେଲୁ ଗୋ ବିମନା ?

ଅର୍ଦ୍ଧସ୍ଫୁଟେ ‘ମାଆ’ ବୋଲି ଡାକିବ ସେ ଯେବେ,

କି ବୋଲି ଗୋ ଜବାଧରା ବୋଧିବି ମୁଁ ତେବେ ?

ହଂସୁଲି ତୂଳିକା କୁସୁମ ତଳପ ବିନା

ଏବାହୁ ଉପଧାନ ବିହୀନେ ସୁବଦନା,

ନ ଆସଇ ନିଦ୍ରା ପଦ୍ମ-ପଲାଶ-ଲୋଚନେ,

ଆଜି କେମନ୍ତେ ରେ ସଖି ! ଶୋଇବୁ ଶ୍ମଶାନେ ?

ଚିତାନଳ କ୍ଷଣେ ଜଳି ପୁଣି ନିଭିଯିବ,

ହୃଦ-ଚିତା ମୋର ଚିରଦିନ ଜଳୁଥିବ ।

ପ୍ରାଣରୁ ଅଧିକ କରି ପ୍ରାଣ ତୋ ହରିଲ,

ନାରୀହତ୍ୟା ପତ୍ନୀହତ୍ୟା ରୌରବେ ପଡ଼ିଲି ।

ଏ ଦୁଃଖ କାହିଁ ରଖିବି କହ ଚନ୍ଦ୍ରମୁଖୀ ?

ଏକା କରିଗଲୁ ମୋତେ କେଉଁଆଡ଼େ ସଖି !

କି ବୋଲି ଗୋ ପ୍ରବୋଧିବି ପିଅରେ ତୋହର ?

ତୋ ବିହୁନେ ନିଶ୍ଚେଁ ପ୍ରାଣ ଛାଡ଼ିବ ତାଙ୍କର ।

କି ବୁଦ୍ଧି କରିବି ଯେବେ ପୁଚ୍ଛିବେ ଜନନୀ,

କି ଉତ୍ତର ଦେବି, କହ ପୂର୍ଣ୍ଣେନ୍ଦୁବଦନୀ ।

ତବ ବିନା ପ୍ରାଣେଶ୍ୱରି । ଦାବାଗ୍ନିସଦୃଶ

ଦହନ କରଇ ହୃଦ ଦୁର୍ବିଷଦ କ୍ଳେଶ ।

ନିମେଷ ବିରହ ସଖୀ, କୋଟିଯୁଗ ମଣୁ,

ଆଜି ଫେରି ନ ଚାହିଁଲୁ, ମୋ ଡାକ ନ ଶୁଣୁ ।

ମୁଁ ହୀନ ପାମର ମୋର ମୁଖ ନ ଚାହିଁବୁ,

ପ୍ରାଣପିତୁଳା ପୁତ୍ରକୁ ପର କି କରିବୁ ?

ଉଠରେ ଆନନ୍ଦମୟ ! ଚାହଁ ତୋ କୁମରେ

ମାତୃହୀନ କରି ଆହା ଦେଇଯାଉ କାରେ ?

ଉଠ ଚଳାପାଙ୍ଗି ! ନେତ୍ର ଉନ୍ମିଳନ କର,

ତୋ ସୁଧାସ୍ନିଗ୍ଧ ଦୃଷ୍ଟିରେ ମୋ ସନ୍ତାପ ହର ।

‘‘ଉଠ ଚିରାନନ୍ଦ, ମୋର ଢଳ ଗୋ ଶ୍ରବଣେ

ତୋ ସୁଧାମଧୁର ବାଣୀ ତୃଷିତ ପରାଣେ ।

ଉଠ ରେ ଅଭିମାନିନି ! ତେଜି ଅଭିନୟ,

ଏ ଦାରୁଣ ଦୃଶ୍ୟେ ଫାଟିଯାଏ ଗୋ ହୃଦୟ ।’’

ଗରୁ ଶୋକେ ଦୁଃଖେ ଆହା ଧରି ବାଳାକର

ତୋଳନ୍ତି ଉନ୍ମାଦ ପ୍ରାୟ କହି ବୀରବର,

‘‘ଆହା ରେ ରମଣୀମଣି ସତୀଶିରୋମଣି’’

କହିଣ ପୁଣି ମୂର୍ଚ୍ଛିତେ ପଡ଼ିଲେ ଧରଣୀ ।

ପାରିଷଦ ଅମାତ୍ୟାଦ ଆସି ପ୍ରବେଶିଲେ,

ଚେତା କରାଇଣ ନାନାମତେ ପ୍ରବୋଧିଲେ ।

ଯେତେ ବୁଝାଇଲେ ସେତେ କାନ୍ଦନ୍ତି ଭୂପତି,

ଭୂତ ବିଷ୍ଟ ଜନ ପରି ଭୂମିରେ ଲୋଟନ୍ତି ।

ଶୋକେ ଜ୍ଞାନହତ ଭୃତ୍ୟ ସନ୍ତପ୍ତ ପରାଣ,

ଜାଣିଲେ ଗିରିନନ୍ଦିନୀ କୈଳାସଭୁବନ ।

ଶକ୍ତିଉପାସକ ସିନା ବୀରେନ୍ଦ୍ରକୁମାର,

ମହାକାଳୀ ରଙ୍ଗା ପାଦ ପୂଜେ ନିରନ୍ତର ।

ଦୟାମୟୀ ମହାମାୟୀ ଦୟା ବହି ଚିତ୍ତେ

ମୋହଗତ ନୃପେ ସ୍ୱପ୍ନେ ବୋଇଲେ ଏମନ୍ତେ,

‘‘ଉଠ ବତ୍ସ ଧୈର୍ଯ୍ୟ ଧର ଚିତ୍ତ ଶାନ୍ତ କର,

କ୍ଷୁଦ୍ର ଦୁର୍ବଳତା ହୃଦପଟୁ ପରିହର ।

ନାହିଁ ତବ ଦୋଷ, ତାର ପର୍ବାର୍ଜିତ କର୍ମ,

ନିମିତ୍ତ ମାତର ସିନା ହେଲା ତବ କର୍ମ ।

ଶୁଣ ତେବେ,-ଦତ୍ତାତ୍ରେୟ ନାମେ ବିପ୍ରବର

କରୁଥିଲେ ତପ ପୂର୍ବେ ସୁରଧୁନୀ ତୀର ।

ମନୋରମା ନାମେ ପତ୍ନୀ ଅପ୍ସରା ସମାନ

ଥିଲା ଅତି ସତୀ ପତିବ୍ରତା ଧର୍ମ୍ମପ୍ରାଣ ।

ସୁରବାଳା ମେନକା ନାମରେ ଯେ ସୁନ୍ଦରୀ

ଦିନେ ଗଙ୍ଗାନୀରେ ସଖୀ ସଙ୍ଗେ ସ୍ନାନ ସାରି

ତୀରେ ଦେଖେ କନ୍ଦର୍ପ ସମାନ ଯୁବା ଏକ

କରନ୍ତି ତପସ୍ୟ, ତେଜେ ବିରାଜେ କି ଅର୍କ ?

ରୂପ ଚାହିଁ ମୁଗ୍ଧ ହେଲା ସେ ସୁର ଅଙ୍ଗନା,

ତାଙ୍କ ଅଙ୍ଗସଙ୍ଗ ଲାଭେ ହେଲା ଛିନ୍ନମନା ।

ନିତି ଦିନ ଆସେ ପାଶେ ମୋହିନୀ ସୁବେଶେ,

ଭାବ ହାବ କଟାକ୍ଷେ ମନ ମୋହିବା ଆଶେ ।

ମାତ୍ର ସେ ଦ୍ୱିଜପୁଙ୍ଗବ ଥାନ୍ତି ପୂର୍ବବତ

ଅଚଳ ଅଟଳ, ଧୈର୍ଯ୍ୟ ନ ହୋଇଲା ହତ ।

ଦିନେ ଅଭିଳାଷ ବ୍ୟକ୍ତ କରନ୍ତେ ସୁନ୍ଦରୀ,

ଉତ୍ତରେ ବୋଇଲେ ଦତ୍ତାତ୍ରେୟ ତପଚାରୀ;

ମୋର ନାରୀ ସତୀଶ୍ରେଷ୍ଠା ମହାରୂପବତୀ,

ତା ବିନା ଗୋ ଅନ୍ୟଠାରେ ନ ବଳେ ମୋ ମତି ।

ତୋ ଆଶା ପୂରଣ ପାଇଁ ମୋର ଶକ୍ତି ନାହିଁ,

ଚଳ ଅନ୍ୟତ୍ର ଶରଦ ଚାରୁ ଚନ୍ଦ୍ରମୁହିଁ ।

ନିରାଶ ହୃଦୟେ ବାମା ଭାବେ ମନେ ମନେ;

କେମନ୍ତେ ଏହା ଯୁବତୀ ଦେଖିବି ନୟନେ ।

ଛଳେ କଉଶଳେ ତ ରେ କରିବି ବିରାଗ,

ତେବେ ମୋଠାରେ ଏ ନିଶ୍ଚେଁ ବହିବ ସରାଗ ।

କୁଟିଳକେଶୀ ଏମନ୍ତେ ଅନ୍ତରେ ବିଚାରି

ଗଲା ଯହିଁ ଥିଲା ମନୋରମା ସୁକୁମାରୀ ।

ଦେଖିଲା, ସୁରଅବଳା ଉତ୍ପଳନୟନା,

ରୂପେ ରତି ଯିବ ହାରି, ସୁମନେ ସୁମନା ।

ସ୍ୱାମୀ ଆଗମନପଥ ଚାହିଁ ଶଶୀମୁଖୀ

ବସିଅଛି, ଅର୍ଘ୍ୟଥାଳୀ ସଯତନେ ରଖି ।

ରୂପ ଦେଖି ଈର୍ଷାଭରେ ମେନକା ସୁନ୍ଦରୀ

କପଟ ବଚନେ ବାମା ସମ୍ମୁଖେ-ଉଭାରି

ବିଶ୍ୱାସ ଜନ୍ମାଇ ପରିଚୟ ପଚାରିଲା,

ପତି ବିରହ-ବିଧୁରା ବରାଙ୍ଗୀ ଜାଣିଲା ।

ବୋଇଲା ମେନକା, ‘ଶୁଣ ପଙ୍କଜ ଲୋଚନେ,

ସ୍ନାନଅର୍ଥେ ଗଙ୍ଗାତୀରେ ଗଲି ସଖୀସନେ ।

ଦେଖିଲି ଗୋ, ପତି ତବ ବସିଥିଲେ ଧ୍ୟାନେ,

ଉରଗ ଦଂଶିଲା ଆସି ତାହାଙ୍କ ଚରଣେ ।

ଗତପ୍ରାଣ ହେଲେ, ଦେଖି ଅଇଲି ନୟନେ,

ଅନାଥା ହେଲ ଗୋ ଆହା ସୁଧାଂଶୁ ବଦନେ ।’

ଏହା ଶୁଣି ଋଷିନାରୀ ନିରାଶ ବିକଳେ

‘ଆହା ନାଥ’ ବୋଲି ଢଳି ପଡ଼ିଲା ଭୂତଳେ ।

ଚାଲିଗଲା ପ୍ରାଣବାୟୁ ଛାଡ଼ି ମହାସତୀ,

ଦେଖିଲା ଅଦ୍ଭୁତ ଦୃଶ୍ୟ ତ୍ରିଦିବ ଯୁବତୀ ।

ହେଲା ସ୍ତମ୍ଭୀଭୂତ କଥା ନ ଆସେ ତୁଣ୍ଡର,

ପ୍ରବେଶ ହେଲେ ଏକାଳେ ତହିଁ ବିପ୍ରବର ।

କାରଣ ଜାଣି କ୍ରୋଧରେ ଅଗ୍ନିମୂର୍ତ୍ତି ହେଲେ,

ବାଳାମୁଖ ଚାହିଁ ଦୁଃଖେ ଅଭିଶାପ ଦେଲେ;-

‘‘ମିଥ୍ୟା ବଚନେ ନାଶିଲୁ ମୋର ପ୍ରିୟବତୀ,

ଦେବନାରୀ ହୋଇ କଲୁ ଏ ହୀନ ଅନୀତି !

ଏ ଦୋଷେ ମାନୁଷୀ ହୁଅ, ମିଥ୍ୟାବାଣୀ ଶୁଣି

ଅକାଳେ ସହସା ପ୍ରାଣ ତେଜିବୁ ତୁ ପୁଣି ।

ତୋ ମୃତ୍ୟୁ କାରଣ ହେଉ ତୋର ନିଜ ପତି,

ଦେବତନୁ ତେଜି ଜନ୍ମ ହୁଅ ତୁ ଧରିତ୍ରୀ ।

ଅଭିଶପ୍ତା ବାମା କାନ୍ଦି ପଡ଼ିଲା ଚରଣେ,

କହେ, ‘ଅଜ୍ଞାନ ଦୋଷକୁ ଦଣ୍ଡ ଅକାରଣେ

ଦେଲ ଯେବେ ଘେନ ପ୍ରଭୁ ଅବଳା ମିନତି,

ତୁମ୍ଭେ ଜନ୍ମ ଲଭି ମୋର ହୁଅ ପ୍ରାଣପତି ।’

ବହୁତ ବିକଳେ କହି ଚରଣେ କାନ୍ଦିଲା,

‘ତଥାସ୍ତୁ’ ବୋଇଲେ ଋଷି, ଚିତ୍ତେ ଦୟା ହେଲା ।

ସେହି ସେ ସୁରସୁନ୍ଦରୀ ବିଜଳା ରୂପସୀ,

ଯାହା ପାଇଁ ବତ୍ସ, ଶୋକ କରୁଅଛ ବସି ।

ତେଜି ନାରୀତନୁ ସେ ତ ହେଲାଣି ଅପ୍‌ସରୀ,

ବୃଥାରେ ଶୋକ କିପାଇଁ କର ଦଣ୍ଡଧାରୀ ?

ତୁମ୍ଭେ ସେହି ଦତ୍ତାତ୍ରେୟ ତରୁଣ ତାପସ,

ମୋହବଶେ ଭାନ୍ତ କିପାଁ ହେଉଅଛ ବତ୍ସ ?

ଗଲାଣି ଯେ ନ ଆସିବ ଆଉ ଏ ମରତେ,

ଅସାର ସଂସାର ସିନା ନ ଜାଣ କି ଏତେ ।

ବୃଥା ଭାବନା କି କେବେ ଦେଇ ପାରେ ଶାନ୍ତି,

ବରଂ ଦୁଇଗୁଣ ବଢ଼ାଇବ ସେ ଅଶାନ୍ତି ।’’

ଏତେ କହି ଶୈଳସୁତା ହେଲେ ଅନ୍ତର୍ଦ୍ଧାନ୍ତ,

ସଂଜ୍ଞା ଲଭି ଭୂତଳୁ ଉଠିଲେ ନୃପରାଣ ।

ସ୍ୱପନେ ଯେମନ୍ତ କହିଗଲେ ମହାମାୟୀ,

ସକଳେ ନୃପତି ତାହା କହିଲେ ବୁଝାଇ ।

ଶ୍ରବଣେ ବିସ୍ମିତ ହେଲେ ସର୍ବ ପୁରଜନ,

ଶବସତ୍କାର ନିମନ୍ତେ କଲେ ଆୟୋଜନ ।

‘‘ବଧୂ ହତ’’ ଏ ବାର୍ତ୍ତା ଶ୍ରବଣେ ରାଜମାତା

ଆସିଥିଲେ ଆହା ଯହିଁ ଶାୟତା ଲଳିତା ।

ବୃଦ୍ଧାକୋଳେ ଶୋଭେ ତନୁଲତା ସୁନ୍ଦରୀର;

ନିଶିଥିନୀ କୋଳେ କିବା ଶୁଷ୍କ ପୁଷ୍ପହାର ।

ଆଚ୍ଛନ୍ନ କରିଛି ଅଙ୍କ ଚାରୁ କେଶାବଳୀ,

ବ୍ୟସ୍ତ ବସନ ଭୂଷଣ ନିପତିତା ବାଳୀ ।

ବିଶୁଷ୍କ ଆରକ୍ତାଧର ନ ବହଇ ଶ୍ୱାସ,

ନିଦ୍ରିତା କି ଆହା ଛିନ୍ନବୀଣା ଶୋକୋଚ୍ଛ୍ୱାସ ।

କଳକଣ୍ଠୀକି କୋଳରେ ଧରିଣ ଆକୁଳେ

କାନ୍ଦନ୍ତେ ପଡ଼ଇ ଅଶ୍ରୁ ତା ମୁଖ-କମଳେ ।

ନିଶିର ଶଶର ଅଶ୍ରୁ ପଡ଼ଇ କି ଝରି,

ନଳିନୀ ଆନନେ ଯଥା ଝରେ ଅଶ୍ରୁବାରି ।

ବିଭାଦିନୁ ଯେତେ ଗୁଣ ଗଜଗମନାର

ସୁମରି କାନ୍ଦନ୍ତି ରାଣୀ ସକରୁଣ ସ୍ୱର ।

ବୃଦ୍ଧ ଅନ୍ଧ ପିତା ସୁତା ମୃତ୍ୟୁବାଣୀ ଶୁଣି

ଧରଣୀରେ ପଡ଼ି ମୋହଗତ ନୃପମଣି;

ବ୍ୟାଧ ଶରାଘାତେ କ୍ଷତ କୁରଙ୍ଗ ଯେସନ,

ବିଷମ ଶୋକବିଶିଖ ଆଘାତ ତେସନ ।

ସଙ୍ଗିନୀଏ ମୁଞ୍ଚି ଅଶ୍ରୁ ଆର୍ତ୍ତ ହାହାକାରେ

କରନ୍ତି ବିଳାପ ଆହା ନିରାଶ ଅନ୍ତରେ ।

ଚଉଦିଗ ବୁଡ଼ିଗଲା ଶୋକସିନ୍ଧୁ ନୀରେ,

ପୂରିଲା କାନନ କରୁଣ ବିଳାପ ସ୍ୱରେ ।

ଆଣିଲେ ଚାରୁ ଶିବିକା ହେମବିଭୂଷିତ,

କଲେ ସଯତନେ ନାନା କୁସୁମ ମଣ୍ଡିତ ।

ବାଜେ ମୃଦଙ୍ଗ, ମନ୍ଦିରା ସକରୁଣ ସ୍ୱରେ,

ଗାଆନ୍ତେ ଗାୟ କା ନେତ୍ରୁ ଅଶ୍ରୁଜଳ ଝରେ ।

ବିଷାଦେ ପରିଚାରିକା ଚାମର ଢାଳନ୍ତି,

ନୟନନୀରେ ସଧବା ଯୁବତିଏ ତିନ୍ତି

କରନ୍ତି ମଙ୍ଗଳଧ୍ୱନି ଅମଙ୍ଗଳ ଦିନେ,

ଆହାରେ କରୁଣସ୍ୱର ଭାସିଯାଏ ବନେ !

ହେମ, କଉଡ଼ି ସହିତେ ଲିଆ, ପୁଷ୍ପରାଶି

ଆଗେ ଆଗେ ବିଞ୍ଚା ହୁଏ ଅଶ୍ରୁଜଳ ମିଶି ।

ବିଶଦ ବସନେ ନୃପ ବିଶଦ ଉତ୍ତରୀ,

ବିଷାଦମୁଖେ ଯାଆନ୍ତେ, ନେତ୍ରୁ ନୀର ଝରି ।

ପଡ଼େ ବିଶାଳ ଉରସେ, ହୃଦୟ ବିଦରେ,

ବିଶଦ ପତାକା ଉଡ଼େ ବିଷାଦେ ଅମ୍ୱରେ;

ବିଷାଦ ବଦନେ ସର୍ବେ ତଟିନୀର ତୀରେ

ଯାଆନ୍ତେ, ବୁଡ଼ିଲା ବନ ବିଷାଦ ଅନ୍ଧାରେ ।

ଉତୁରିଲେ ଜରାଳୀର ମଧୁମୟ ତୀରେ,

ବିଧିମତେ ଚିତା ଶଯ୍ୟା ରଚିଲେ ସତ୍ୱରେ ।

ସୁଗନ୍ଧ ଚନ୍ଦନକାଷ୍ଠ ଘୃତ ଭାର ଭାର

ଯଥା ବିଧାନେ ସକଳ ଦ୍ରବ୍ୟ ହେଲା ଠୁଳ ।

ପବିତ୍ର ସଲିଳେ ଶବ କରାଇଣ ସ୍ନାନ

ସୁପଟ୍ଟ ବସନ କରାଇଲେ ପରିଧାନ ।

ସିନ୍ଦୂର, ଗନ୍ଧ, ଚନ୍ଦନ, କଜ୍ଜ୍ୱଳ ରଞ୍ଜିଲେ,

ସୁଗନ୍ଧ କୁସୁମଦାମ ଆଭରଣ କଲେ ।

ଶିରିଷଙ୍ଗୀ ଶରୀରୁ ରତନ ଆଭରଣ

କାଢ଼ି ପରିଚାରୀଗଣେ କଲେ ବିତରଣ ।

ଲେପିଲେ କୁଙ୍କୁମ, ପଦେ ରଞ୍ଜିଲେ ଅଳତା,

କୁସୁମେ ଚାରୁ କୁନ୍ତଳ କବରୀ ଶୋଭିତା ।

କୁସୁମ କଙ୍କଣ କରେ କୁସୁମ ବଳୟ,

କୁସୁମବାହୁଟି, ଗଳେ ପୁଷ୍ପହାରଚୟ ।

କୁସୁମ କୁଣ୍ଡଳ କର୍ଣ୍ଣେ, ପୁଷ୍ପ ନାସାମଣି,

ଗୋଟି ଗୋଟି କୁସୁମେ ଖଞ୍ଜିଲେ ଚାରୁ ବେଣୀ ।

କୁସୁମଭୂଷଣା କିବା ଶରଦୀୟା ଉଷା,

ଭୂତଳେ କି ମୂର୍ତ୍ତିମତୀ ଶୋଭେ ତଥା ଯୋଷା !

ବିଷାଦଘନେ ଆଚ୍ଛନ୍ନ ସେ ବିଧୁବଦନ,

ନିମୀଳିତ ଖଞ୍ଜନଜିତ ଚାରୁ ନୟନ ।

ନାହିଁ ହସର ଚାନ୍ଦିନୀ ବଧୁଲି ଅଧରେ,

ମିଶିଛି ହାସଲହରୀ ଶୋକପାରାବାରେ ।

ଆହା, ସୁନ୍ଦରୀକୁ ଶୁଆଇଲେ ଚିତାକୋଳେ,

ଚାହିଁ ନୃପନେତ୍ରୁ ନୀର ବହେ ଅସମ୍ଭାଳେ ।

ଚିତା ଅଗ୍ରେ ଅଗ୍ରସରି କାତର ବଚନେ

ବୋଇଲେ, ‘‘ଆହା ରେ ପୂର୍ଣ୍ଣସୁଧାଂଶୁ ବଦନେ ।

ଅକାଳେ କାଳମୁଖରେ ଦେଲି ତୋତେ ବଳି,

ନୃଶଂସକୁ ତେଜି ପ୍ରିୟସଖି ଗଲୁ ଚଳି ।’’

ଏତେ କହି ବରଷନ୍ତି ନୟନ-ଆସାର,

ଶୋକରୋଳେ ପୂରିଗଲା ସେ ତଟିନୀତୀର ।

ବେଦଜ୍ଞ ବ୍ରାହ୍ମଣେ ବେଦମନ୍ତ୍ର ଉଚ୍ଚାରିଲେ,

ସାଶ୍ରୁନେତ୍ରେ ସଧବାଏ ହୁଳହୁଳି ଦେଲେ ।

ଶଙ୍ଖ, ଘଣ୍ଟା ବାଜେ, ବାଜେ ମୁରଜ, ମନ୍ଦିରା,

ଆକୁଳେ କାନ୍ଦିଲେ ସର୍ବେ, ବହେ ଅଶ୍ରୁଧାରା ।

ପୁଷ୍ପ ସହ ଲାଜାବୃଷ୍ଟି କରନ୍ତି ଅବଳା,

ଶେଷ ବିଦାୟ ଘେନିଲା ମରତୁ ବିଜଳା ।

ଉଠିଲା ଗଗନେ ଆହା ଭୀମ ଚିତାନଳ,

ନିମେଷେ ହୋଇଲା ଭସ୍ମ ସେ ରୂପ ଅତୁଳ ।

ସେ ଦୃଶ୍ୟରୁ ନେତ୍ର କ୍ରମେ ହେଲା ଆକର୍ଷିତ

ଅନମ୍ୱରପଥେ, ସର୍ବେ ହୋଇଲେ ଚକିତ ।

ଜ୍ୟୋତି ବିଭାସିତ ମଣିମଣ୍ଡିତ ବିମାନେ

ବସିଛି ବିଜଳା ତହିଁ ସହାସ-ବଦନେ ।

ଅନନ୍ତ ମଧୁରହାସ ମଦୁର ଅଧରେ,

ଅନନ୍ତ ଯୌବନଜ୍ୟୋତି ତନୁରେ ପ୍ରସରେ ।

ବେନି ସୁରବାଳା ଧରିଛନ୍ତି ବାଳାକର,

ଅଦୃଶ୍ୟ ହେଲା ବିମାନ ଗଗନ ଭିତର ।

ବିସ୍ମିତ ହେଲେ ଦର୍ଶକେ, ତେଜି ଦୀର୍ଘଶ୍ୱାସ

ମୁଞ୍ଚି ଅଶ୍ରୁ ଦୁଗ୍ଧଧାରେ ବିଷାଦେ ନରେଶ

ଚିତାନଳ ନିଭାଇଣ ଘେନି ନିଜ ଗଣ,

ଫେରିଲେ ନଗରେ ଶୋକସନ୍ତପ୍ତ ପରାଣ;

ଦେବୀପ୍ରତିମା ବିସର୍ଜି ବିଜୟା ପ୍ରଦୋଷେ

ଲେଉଟନ୍ତି ଜନେ ଯଥା, ଫେରିଲେ ଆବାସେ ।

ଝୁରି ଝୁରି ତନୟାରେ ବୃଦ୍ଧ ପୁରଞ୍ଜୟ

ଅଳ୍ପଦିନେ ଜୀବନ ଛାଡ଼ିଲେ ନରରାୟ ।

ନିତି ନିଜ ପ୍ରଣୟପଦ୍ମିନୀ ଭାଳି ମନେ,

ବୀରେନ୍ଦ୍ରକୁମାର ନୃପ ବିଷଣ୍ଣ ପରାଣେ

ବୁଝୁଥାନ୍ତି ରାଜକାର୍ଯ୍ୟ ବାହ୍ୟେ ରାଜାପ୍ରାୟେ,

ଅନ୍ତରେ ମାତ୍ର ଥାଆନ୍ତି ଯୋଗୀଙ୍କ ପରାୟେ ।

କୁମାରେ ପାଳିଲେ ଯତ୍ନେ ବୃଦ୍ଧା ପିତାମହୀ,

ମୃତ ମହିଷୀର ପୂତ କ୍ଷୀଣ ସ୍ମୃତି ସେହି ।

ଚାହିଁ ନରପତି ଆହା ତା ଚାରୁ ଆନନ,

ପୁତ୍ରପ୍ରାୟେ ଯତନେ ପାଳନ୍ତି ପ୍ରଜାଗଣ ।

କାଳକ୍ରମେ ଉପଯୁକ୍ତ କୁମାରଙ୍କ କରେ

ଦେଇ ରାଜ୍ୟଭାର ଭୂପ ଗଲେ ବନଘୋରେ ।

ବାନପ୍ରସ୍ଥାଶ୍ରମେ କାଟି ଅନ୍ତିମ ଜୀବନ,

ହୃଦୟେ ପଜି ହୃଦୟହାରିଣୀ ବଦନ,

ଗଲେ ଚଳି କାଳବଳେ ଅମର ଭବନେ

ନାମ ମାତ୍ର ରଖି ସିନା ଏହି ମରଧାମେ ।

ଯାଇଛି ବିଜଳା ଆହା, ମରତ ବିଜୁଳି ।

ଧରଣୀ-ମାନସସର-ହେମ-ପଦ୍ମକଳି ।

ବିଜଳା-ସତୀତ୍ୱପ୍ରଭା ବିଜୁଳି ବରଣେ,

ବିଜଳାର ପାତିବ୍ରତ୍ୟ ଏହି ମରଧାମେ,

ରହିଲା କାଳବକ୍ଷରେ ଅମର ଅକ୍ଷରେ,

ଉଜ୍ଜ୍ୱଳେ ଝଲସେ ଉରୋଭୂଷଣ ରୂପରେ ।

Image